ପୁତୁରାର ଶାବଳ ମାଡ଼ରେ ବଡ଼-ବାପା, ବଡ଼-ମା’ ମୃତ

  • ରାଇରଙ୍ଗପୁର: ପୁତୁରାର ଶାବଳମାଡ଼ରେ ବଡ଼ ବାପା ଓ ବଡ଼ ମା’ଙ୍କର ମୃତ୍ୟୁ ହୋଇଛି। ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଝରାଡ଼ିହି ଫାଣ୍ଡି ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଯାଇଛି। ମୃତକ ହେଲେ ଯୋଗେନ୍ଦ୍ର ହାଁସଦା (୬୮) ଓ ତାଙ୍କର ସ୍ତ୍ରୀ ନାନୀ ହାଁସଦା (୬୫)। ଅଭିଯୁକ୍ତ ପୁତୁରା ମାଝ ହାଁସଦା ପୁଲିସ ନିକଟରେ ଆତ୍ମସମର୍ପଣ କରିଛି।
    ସୂଚନା ଅନୁଯାୟୀ, ତିରିଂ ଥାନା ଅନ୍ତର୍ଗତ ଦେଉରାଡିହି ଗ୍ରାମରେ ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ ହୋଇଛି। ଆଜି ଯୋଗେନ୍ଦ୍ର ହାଁସଦା ଓ ସୁରାଇ ହାଁସଦାଙ୍କ ପରିବାର ମଧ୍ୟରେ ଝଗଡ଼ା ହୋଇଥିଲା। ପାଣି ପମ୍ପ ବିକ୍ରିକୁ ନେଇ ଦୁଇ ଭାଇ ଯୋଗେନ୍ଦ୍ର ଓ ସୁରାଇ ମଧ୍ୟରେ ଦୀର୍ଘଦିନରୁ ଝଗଡା ହେଉଥିଲା। ଆଜି ଏହା ଭୟଙ୍କର ରୂପ ନେଇଥିଲା। ଝଗଡା ଲାଗୁଥିବା ଖବରପାଇ ପୁତୁରା ମାଝ ହାଁସଦା ଉତକ୍ଷିପ୍ତ ହୋଇ ଏକ ଶାବଳରେ ବଡ଼ ବାପା ଓ ବଡ଼ ମା’ଙ୍କୁ ମାରି ହତ୍ୟା କରିଥିଲା। ହତ୍ୟାପରେ ଥାନାରେ ଆତ୍ମସମର୍ପଣ କରିଛି। ଘଟଣାସ୍ଥଳକୁ ବାରିପଦା ସାଇଣ୍ଟିଫିକ୍ଟ ଟିମ୍, ସନ୍ଧାନୀ କୁକୁର ଓ ତିରିଂ ପୁଲିସ ପହଞ୍ଚିି ଘଟଣାର ଅଧିକ ତଦନ୍ତ କରୁଛନ୍ତିି। ଆସନ୍ତାକାଲି ଶବ ବ୍ୟବଛେଦ କରାଯିବ ବୋଲି ସୂଚନା ମିଳିଛି। ଏନେଇ ତିରିଂ ଥାନାରେ ଏକ ମାମଲା ରୁଜୁ ହୋଇଛି।