କଥାଶିଳ୍ପୀ ଯଶୋଧାରାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

  • ଭୁବନେଶ୍ୱର: ବିଶିଷ୍ଟ କଥାଶିଳ୍ପୀ ଯଶୋଧାରା ମିଶ୍ରଙ୍କୁ ମିଳିବ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ୨୦୨୦ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ଯାଉଛନ୍ତି ଓଡ଼ିଆ ସାହିତ୍ୟର ଜଣାଶୁଣା ସାହିତ୍ୟିକା ଯଶୋଧାରା ମିଶ୍ର। ତାଙ୍କର ଗଳ୍ପ ସଂକଳନ ‘ସମୁଦ୍ରକୂଳ ଘର’ ପାଇଁ ସେ ଏହି ପୁରସ୍କାର ପାଇଛନ୍ତି। ଯଶୋଧାରାଙ୍କୁ ପୁରସ୍କାର ସ୍ୱରୂପ ତାମ୍ର ଫଳକ ସହ ଏକ ଲକ୍ଷ ଟଙ୍କା ଦିଆଯିବ। ସୂଚନା ମୁତାବକ, ଯଶୋଧାରାଙ୍କ ପୁସ୍ତକ ‘ସମୁଦ୍ରକୂଳ ଘର’ ଜୁରୀ ମେମ୍ବରଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା ଓ ସର୍ବାଧିକ ସମର୍ଥନ ପାଇଥିଲା। କେନ୍ଦ୍ର ସାହିତ୍ୟ ଏକାଡେମୀର ସଭାପତି ଡ. ଚନ୍ଦ୍ରଶେଖର କମ୍ବର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଦେବାକୁ ସମ୍ମତି ପ୍ରକାଶ କରିଛନ୍ତି।
    ‘ସମୁଦ୍ରକୂଳ ଘର’ ଗଳ୍ପ ସଙ୍କଳନ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବାକୁ ଯାଉଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ଏହି ସଫଳତା ପାଇଁ ରାଜ୍ୟ ଗର୍ବିତ ବୋଲି ଟ୍ୱିଟରେ ଲେଖିଛନ୍ତି। ତାଙ୍କର ସୃଜନ ସୃଷ୍ଟିଗୁଡିକ ଓଡ଼ିଆ ସାହିତ୍ୟକୁ ଆହୁରି ସମୃଦ୍ଧ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ସାହିତ୍ୟ ଏକାଡେମୀ ପୁରସ୍କାର ଚୟନ କମିଟିରେ କବି ରମାକାନ୍ତ ରଥ, ବୀଣାପାଣି ମହାନ୍ତି ଏବଂ ପ୍ରତିଭା ଶତପଥୀ ରହିଥିବା ସୂଚନା ରହିଛି। ତେବେ ଏହି ସଙ୍କଳନକୁ ୨୦୧୬ ମସିହାରେ ଇଙ୍କ ଓଡ଼ିଶା ପ୍ରକାଶନ ସଂସ୍ଥା ପ୍ରକାଶ କରିଥିଲା।