- ଡେରାବିଶ,ଚାନ୍ଦୋଳ, ଏନ୍ଏନ୍ଏସ୍: ଡେରାବିଶ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଡେରାବିଶ ଥାନା ଅନ୍ତର୍ଗତ ପଲେଇ ପଞ୍ଚାୟତ ଅଢ଼ଙ୍ଗା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଅଲେଖ ଭଦ୍ର (୭୦)ଙ୍କୁ ପୁଅ ଶୁଭେନ୍ଦୁ (୪୦) ଗଳାକାଟି ହତ୍ୟା କରିଛି। ଏନେଇ ଶୁଭେନ୍ଦୁଙ୍କ ସ୍ତ୍ରୀ ଶୁଭଦ୍ରା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ କେସ୍ ନଂ. ୧୪୫/୨୧ରେ ଏକ ମାମଲା ରୁଜୁ କରିବାର ସହ ଛାନ୍ଭିନ୍ କରୁଥିବା ଥାନାଧିକାରୀ ସୁମନ୍ତ କିଷାନ୍ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଅଲେଖ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ଜଣେ ଅବସରପ୍ରାପ୍ତ କର୍ମଚାରୀ ଥିଲେ। ଏକମାତ୍ର ପୁଅ ଶୁଭେନ୍ଦୁ, ବୋହୂ ଓ ନାତୁଣୀଙ୍କ ସହ ଗାଁରେ ରହୁଥିଲେ। ମାତ୍ର ଶୁଭେନ୍ଦୁ ଜଣେ ନିଶାଶକ୍ତ ବ୍ୟକ୍ତି ହୋଇଥିବାରୁ ବିଭିନ୍ନ ସମୟରେ ପାରିବାରିକ କଳହ ଲାଗିରହିଥିଲା। ଏପରିକି ସୋମବାର ବିଳମ୍ବିତ ରାତିରେ ଅଲେଖଙ୍କ ସହ ପୁଅ ଶୁଭେନ୍ଦୁର କଳିଝଗଡ଼ା ହୋଇଥିଲା। ପରେ ଏହି ଝଗଡ଼ା ଉଗ୍ରରୂପ ନେବାରୁ ଶୁଭେନ୍ଦୁ ବାପା ଅଲେଖଙ୍କୁ ଗଳାକାଟି ହତ୍ୟା କରିଥିଲେ। ମଙ୍ଗଳବାର ସକାଳେ ଅଲେଖଙ୍କୁ ନପାଇ ବାପା କୁଆଡ଼େ ଯାଇଛନ୍ତି ବୋଲି ଗ୍ରାମର କିଛି ଲୋକ ଶୁଭେନ୍ଦୁଙ୍କୁ ପଚାରିଥିଲେ। ଶୁଭେନ୍ଦୁ ବାପା କଟକ ଯାଇଛନ୍ତି ବୋଲି କହିଥିଲେ। ମାତ୍ର ଗ୍ରାମବାସୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ପରେ ଶୁଭେନ୍ଦୁ ତରବରିଆଭାବେ ସାଇକେଲ୍ ଯୋଗେ ଗାଁ ବାହାରକୁ ପଳାଇବାକୁ ଉଦ୍ୟତ ହେଉଥିବାବେଳେ ଗ୍ରାମର କିଛି ଯୁବକ ତାଙ୍କୁ ଅଟକାଇଥିଲେ। ଶୁଭେନ୍ଦୁ ହଠାତ୍ ଘର ଭିତରକୁ ଦୌଡ଼ି ଯାଇ କବାଟ ଦେଇଦେବାରୁ ସନ୍ଦେହ ଦ୍ୱିଗୁଣିତ ହୋଇଥିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଅଲେଖଙ୍କ ମୃତଦେହ ହେଁସରେ ଗଡ଼଼ା ହୋଇଥିବା ଦେଖି ଡେରାବିଶ ଥାନାକୁ ଖବର ଦେଇଥିଲେ। ମଙ୍ଗଳବାର ଅପରାହ୍ନରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଲେଖଙ୍କ ମୃତଦେହ ଜବତ କରିଥିଲା। ଏଥିସହ ଅଭିଯୁକ୍ତ ପୁଅ ଶୁଭେନ୍ଦୁକୁ ଘଟଣାସ୍ଥଳରୁ ଗିରଫ କରିଥିଲା। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ନପହଞ୍ଚିିବା ଯାଏ ପୁଲିସ ହେପାଜତରେ ମୃତକଙ୍କ ଶବ ରହିଥିବା ଥାନାଧିକାରୀ କିଷାନ୍ ସୂଚନା ଦେଇଛନ୍ତି।