ଝିଅର କଟାମୁଣ୍ଡ ଧରି ବାପା ଥାନାରେ ହାଜର

ନୂଆଦିଲ୍ଲୀ, ଏଜେନ୍ସି: ଉତ୍ତରପ୍ରଦେଶର ହାର୍ଦୋଇ ଜିଲ୍ଲା ଅନ୍ତର୍ଗତ ପାଣ୍ଡେତାରା ଗ୍ରାମରେ ଜଣେ ବ୍ୟକ୍ତି ନିଜର ୧୭ ବର୍ଷର ଝିଅକୁ ହତ୍ୟା କରିବାପରେ କଟାମୁଣ୍ଡକୁ ହାତରେ ଧରି ଥାନାରେ ହାଜର ହୋଇଥିବା ଘଟଣା ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଝିଅକୁ ଜଣେ ଯୁବକଙ୍କ ସହ ଅସଞ୍ଜତ ଅବସ୍ଥାରେ ଆବିଷ୍କାର କରିବାପରେ ବ୍ୟକ୍ତିଜଣକ କ୍ରୋଧାନ୍ୱିତ ହୋଇ ଏକ ଧାରୁଆ ଅସ୍ତ୍ରରେ ଝିଅର ମୁଣ୍ଡକୁ ହାଣି ହତ୍ୟା କରିଥିବା ପୁଲିସ ଆଗରେ ସ୍ୱୀକାର କରିଛି। କଟାମୁଣ୍ଡ ଧରି ଯାଉଥିବାବେଳେ ରାସ୍ତାରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଥିଲା। ପୁଲିସ ହତ୍ୟାକାରୀକୁ ଗିରଫ କରି ତଦନ୍ତ ଚଳାଇଛି।