ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ମୁନିଗୁଡ଼ା ଉତ୍ସବମୁଖର

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ସହରରେ ପ୍ରଭୁ ଶ୍ରୀରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ମୁନିଗୁଡ଼ା ଚଳଚଞ୍ଚଳ ହୋଇଉଠିଛି । ଘରେ ଘରେ ପୂର୍ଣ୍ଣ କୁମ୍ଭ ସହ ଛାତରେ ଶ୍ରୀରାମ ବାନା ଉଡ଼ାଯାଇଛି । ସକାଳ ୭ଟାରେ ମୁନିଗୁଡ଼ା ହନୁମାନ ମନ୍ଦିର ପରିସରରେ ଗ୍ରାମବାସୀଙ୍କ ସହଯୋଗରେ ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଓ ମୁନିଗୁଡ଼ା ବିକାଶ ପରିଷଦ ଆୟୋଜନରେ ଶ୍ରୀରାମ ମହାଯଜ୍ଞ, ରାମଚରିତ ମାନସ, ରାମାୟଣ କାଣ୍ଡ ପଠନ, ହନୁମାନ ଚାଳିଶା ଓ ପବିତ୍ର ରାମାନାମ ବିଜୟ ମନ୍ତ୍ରପାଠ ଆରମ୍ଭ ହୋଇଥିଲା । ୭ ଗ୍ରୁପ କୀର୍ତ୍ତନ ମଣ୍ଡଳୀ ବିଭିନ୍ନ ମନ୍ଦିର ପରିକ୍ରମା କରି ନଗର କୀର୍ତ୍ତନ କରିବା ସହିତ ରାମନାମ ସଙ୍କୀର୍ତ୍ତନ କରୁଥିଲେ । ହଜାର ହଜାର ଭକ୍ତ ପ୍ରଭୁଙ୍କ ପାଦପଦ୍ମେ ଭକ୍ତି ପୁଷ୍ପାଞ୍ଜଳି ଦେବାସହ ପ୍ରଦୀପ ପ୍ରଜ୍ୱଳିତ କରିଥିଲେ । ସେହିପରି ରାମ ମନ୍ଦିର ପରିସରରେ ଶ୍ରୀରାମ ନାମଯଜ୍ଞ ସହ ଅନ୍ନଭୋଗ ବଣ୍ଟା ଯାଇଥିଲା । ଗୋବର୍ଦ୍ଧନ ହନୁମାନ ମନ୍ଦିର, ମୁନିଖୋଲ ହନୁମାନ ବାଟିକା, ଗୌଡ଼ ସାହି ଶିବ ମନ୍ଦିର, ହୁକୁମତୋଲା ମନ୍ଦିର ଓ ଟିକିରପଡ଼ା ହନୁମାନ ମନ୍ଦିରରେ ସ୍ଥାନୀୟ ଯୁବକମାନେ ପୂଜାର୍ଚ୍ଚନା କରିବା ସହ ଶ୍ରୀରାମ ନାମ ସଙ୍କୀର୍ତ୍ତନ କରୁଥିଲେ । ମୁନିଗୁଡ଼ା ସୌଣ୍ଡିକ ଭବନ ପରିସରରେ ବିଜେପି ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଶ୍ରୀରାମ ପୂଜନ, କୁଙ୍କୁମ ପୂଜନ ଓ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା । ଅପରାହ୍ନରେ ମୁନିଖୋଲ ହନୁମାନ ବାଟିକାରୁ ଗୋବର୍ଦ୍ଧନ ପର୍ଯ୍ୟନ୍ତ ବିଶାଳ ଶୋଭାଯାତ୍ରା ଜୟ ଶ୍ରୀରାମ ନାରା ସହ ବାହାରିଥିଲା । ଏହି କାର୍ଯ୍ୟକ୍ରମକୁ ବିଶ୍ୱହିନ୍ଦୁ ପରିଷଦରୁ କୀର୍ତ୍ତି ପ୍ରସାଦ ପୃଷ୍ଟି, ଭୀମ ବେହେରା, ସଂଧ୍ୟାରାଣୀ ମଲ୍ଲିକ, ଅମ୍ବିକା ନାୟକ, ଦେବଦାସ ଜୀ ମହାରାଜ, ବଜରଙ୍ଗ ଦଳର ସଂଯୋଜକ ଶ୍ୱେତ ଦାସ, ସୁନ୍ଦର ରାଜୁଙ୍କ ନେତୃତ୍ୱରେ ଶତାଧିକ କାର୍ଯ୍ୟକର୍ତ୍ତା,ବିକାଶ ପରିଷଦର ଘନଶ୍ୟାମ ମାର୍ଥା, ସୁବାସ ଗୌଡ଼ ଓ କୁମାର ରାଜୁଙ୍କ ସମେତ ମୁନିଗୁଡ଼ାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ପରିଚାଳନାର ନେତୃତ୍ୱ ନେଇଥିବାବେଳେ ଶତାଧିକ ଶ୍ରୀରାମ ଭକ୍ତ ଓ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ ।