ଆଇନଜୀବୀ ଓ ଅସ୍ଥାୟୀ ବ୍ୟବସାୟୀଙ୍କୁ ୭୨ ଘଣ୍ଟା ମଧ୍ୟରେ ଜାଗା ଖାଲି କରିବାକୁ ପୌରପରିଷଦର ନୋଟିସ ଜିଲ୍ଲା By Nitidin On May 21, 2020 Share ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାପାଳ ଓ କୋର୍ଟ ନିକଟ ରାସ୍ତା କଡରେ ଦୀର୍ଘ ବର୍ଷ ଧରି ଅସ୍ଥାୟୀ ଦୋକାନ ଗୃହ କରି ନିଜ ପରିବାର ପ୍ରତିପୋଷଣ କରୁଥିବା ଟାଇପ ରାଇଟର, ଷ୍ଟାମ୍ପଭେଣ୍ଡର, ଜେରେକ୍ସ ଦୋକାନୀ ଓ ନୋଟାରୀ କାର୍ଯ୍ୟାଳୟ ଖୋଲିଥିବା ଆଇନଜୀବୀଙ୍କୁ ଆଗାମୀ ୭୨ ଘଣ୍ଟା ମଧ୍ୟରେ ସ୍ଥାନ ଖାଲି କରିବାକୁ ଆଜି ଦେବଗଡ଼ ପୌରପରିଷଦ ପକ୍ଷରୁ ନୋଟିସ ଜାରି କରାଯାଇଛି। କରୋନା ମହାମାରି ସମୟରେ ସମସ୍ତ ଦେଶ ବର୍ତ୍ତମାନ ସଙ୍କଟରେ ଗତିକରୁଥିବା ବେଳେ ପୌରପରିଷଦର ଏଭଳି ନିଷ୍ପତ୍ତି ଦୋକାନୀ ଓ ଆଇନଜୀବୀମାନଙ୍କ ମଧ୍ୟରେ ନୈରାଶ୍ୟ ଭାବ ପ୍ରକାଶ ପାଇଛି। ସେମାନେ ଏହି ନିଷ୍ପତ୍ତିକୁ ସ୍ଥଗିତ ରଖିବା ପାଇଁ ପୌରନିର୍ବାହୀ ଅଧିକାରୀଙ୍କ ଠାରେ ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି। ଏ ନେଇ ଆଜି ପୂର୍ବାହ୍ନରେ ନୋଟାରୀ ପ୍ରଦୀପ କୁମାର ଧଳ, ପ୍ରଭାସ କୁମାର ମିଶ୍ର, ସରୋଜ କୁମାର ପାତ୍ର, ଦଲିଲ ଲେଖକ ସୁକାନ୍ତ କୁମାର ମିଶ୍ର, ଜନକ ବେହେରା, ଗୌରହରି ବେହେରା, ପ୍ରଦୀପ ଭଞ୍ଜ, ପ୍ରମେଥେଶ ଗୁରୁଙ୍କ ସମେତ ବହୁ ଅସ୍ଥାୟୀ ଦୋକାନୀ ପୌରପରିଷଦ କାର୍ଯ୍ୟାଳୟକୁ ଯାଇ ପୌରନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ରରେ ଅସ୍ଥାୟୀ ବ୍ୟବସାୟୀମାନେ ବର୍ଷାଧିକକାଳ ଆଇନଜୀବୀଙ୍କ ଆନ୍ଦୋଳନ ଓ କିଛିମାସ ଧରି କରୋନା ମହାମାରୀ ଯୋଗୁଁ ଲକଡାଉନ ଫଳରେ ସେମାନଙ୍କର ରୋଜଗାର ବନ୍ଦ ରହିଛି। ଫଳରେ ସେମାନେ ପରିବାର ଚଳାଇବା ପାଇଁ ଘୋର ଆର୍ଥିକ ସଂକଟ ଦେଇ ଗତି କରୁଥିବା ଦର୍ଶାଇବା ସହ ଆଗାମୀ କିଛି ଦିନ ମଧ୍ୟରେ ସମ୍ପୃକ୍ତ ଅଞ୍ଚଳରୁ କୋର୍ଟ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତର ହେବାକୁ ଥିବାରୁ ସେମାନେ ମଧ୍ୟ ସେଠାରୁ ସ୍ଥାନ ଛାଡିବାକୁ ବାଧ୍ୟ ହେବେ ବୋଲି ଉଲ୍ଲେଖ କରିଛନ୍ତି। ଏଥିସହ ସେମାନଙ୍କୁ ସ୍ଥାନାନ୍ତର ହେବା ପାଇଁ ଆଉ କିଛି ସମୟ ଦେବାକୁ ଅନୁରୋଧ କରିଛନ୍ତି। Share