ଗେଲ ଇଣ୍ଡିଆ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ ସହ ଲୁଟ

ଦେବଗଡ଼,ଏନ୍ଏନ୍ଏସ୍: କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଝରାବେରେଣୀ ଗ୍ରାମରେ ଗେଲ ଇଣ୍ଡିଆ ପକ୍ଷରୁ ନିର୍ମାଣଧୀନ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନାରେ ଗ୍ୟାସ୍ ପାଇପ ଲାଇନ ପ୍ରକଳ୍ପ କାର୍ଯ୍ୟରେ ନିୟୋଜିତ ୨ ଜଣ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ ସହ ବନ୍ଧୁକ ମୁନରେ ଲୁଟ ହୋଇଥିବା ନେଇ କୁଣ୍ଢେଇଗୋଳା ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି। ଅଭିଯୋଗ ଆଧାରରେ କୁଣ୍ଢେଇଗୋଳା ଥାନା ପୁଲିସ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

ପୁଲିସ ସୂଚନା ଅନୁଯାୟୀ ଝରାବେରେଣୀ ଗ୍ରାମରେ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନାରେ ଗ୍ୟାସ୍ ପାଇପଲାଇନ ପ୍ରକଳ୍ପ ସ୍ଥଳରେ ନିୟୋଜିତ ୨ ଜଣ ସୁରକ୍ଷା କର୍ମୀ ବିଶ୍ରାମ ଗୁଡିଆ(୨୦) ଓ ସୁଶାନ୍ତ ପାତ୍ର(୩୪) କାର୍ଯ୍ୟରତ ଥିବାବେଳେ ଗତ ୧୯ ତାରିଖ ମଙ୍ଗଳବାର ରାତ୍ରି ପ୍ରାୟ ୧୨ଟାରେ କେତେକ ମୁଖା ପିନ୍ଧା ଯୁବକ ସେଠାକୁ ଆସି ଉଭୟ ସୁରକ୍ଷା କର୍ମୀଙ୍କୁ ବନ୍ଧୁକ ଦେଖାଇ ଆକ୍ରମଣ କରିଥିଲେ। ଏହି ସମୟରେ ତାଙ୍କ ନିକଟରେ ଥିବା ଫୋନ, ନଗତ ଅଢ଼େଇ ହଜାର ଟଙ୍କା ଓ ସେଠାରେ ଥିବା ଏକ୍ସାଭେଟର ମ୍ୟାସିନରୁ ୨ଟି ବ୍ୟାଟେରୀ ଖୋଲି ନେଇଯିବା ସହ ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। ଏସମ୍ପର୍କରେ ଗତକାଲି କୁଣ୍ଢେଇଗୋଳା ଥାନାରେ ଲିଖିତ ଅଭିଯୋଗ ହେବାପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ମାସ ୨୪ ତାରିଖ ଦିନ ଓ ଗତ ୧୨ ତାରିଖ ଦିନ ଉକ୍ତ ପ୍ରକଳ୍ପରେ ନିୟୋଜିତ ଗେଲ ଇଣ୍ଡିଆର କର୍ମଚାରୀଙ୍କୁ ଉକ୍ତ ଗ୍ରାମର କେତେକ ଦୁର୍ବୃତ୍ତ ଦାଦାବଟି ପାଇଁ ମରଣାନ୍ତକ ଆକ୍ରମଣ ସହ ସେମାନଙ୍କ ଠାରୁ ଲୁଟ କରିଥିବା ଥାନାରେ ଅଭିଯୋଗ ହୋଇଥିଲା। ମାତ୍ର ପୁଲିସ ଦୁର୍ବୃତ୍ତଙ୍କ ବିରୋଧରେ ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ ଗେଲ ଇଣ୍ଡିଆ କର୍ମଚାରୀଙ୍କ ଉପରେ ଆକ୍ରମଣ ଓ ଲୁଟ ଘଟିଚାଲିଛି। ଫଳରେ ଦୀର୍ଘଦିନ ଧରି ପ୍ରକଳ୍ପ କାର୍ଯ୍ୟ ମଧ୍ୟ ଆଗେଇ ନପାରି ପ୍ରଭାବିତ ହେଉଥିବା ଦେଖିବାକୁ ମିଳିଛି। ଏଣୁ ଜିଲ୍ଲା ଏସପି ଏ ଘଟଣାରେ ବିଶେଷ ଦୃଷ୍ଟି ଦେବାକୁ ପ୍ରକଳ୍ପ କର୍ମଚାରୀମାନେ ନିବେଦନ କରିଥିବା ଜଣାପଡ଼ିଛି।