ଦେବଗଡ଼,ଏନ୍ଏନ୍ଏସ୍: ମୁକ୍ତା ଯୋଜନାରେ ମିଶନ ଶକ୍ତି ମହିଳାଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଟାଉନ ହଲ ପାଚେରୀ ଭଙ୍ଗା ଘଟଣାରେ ବିଧାୟକଙ୍କ ସମ୍ପୃକ୍ତି ନେଇ ବିଜେଡିର ଅଭିଯୋଗକୁ ନେଇ ବିଜେପି ସ୍ପଷ୍ଟୀକରଣ ରଖିଛି । ଦେବଗଡ଼ ପୌର ଉପାଧ୍ୟକ୍ଷ ପ୍ରଜିତ କୁମାର ଭୋଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ପ୍ରତିକ୍ରିୟା ରଖିଛି । ବିଧାୟକଙ୍କ ନିର୍ଦ୍ଦେଶରେ ପୌର ଅଧିକାରୀଙ୍କୁ ବିଜେପି ଦଳର ଉପାଧ୍ୟକ୍ଷ ଏବଂ କାଉନସିଲର ମାଡ଼ ମାରିଥିବା ବିଜେଡି ଅଭିଯୋଗ କରିଥିବାବେଳେ ଏହାର କୌଣସି ଆଧାର ନାହିଁ । ବିଜେଡି ଶସ୍ତା ରାଜନୀତି କରୁଥିବା ଉପାଧ୍ୟକ୍ଷ କହିଛନ୍ତି । ପୌରନିର୍ବାହୀ ଅଧିକାରୀ ଜାତିଆଣା ଆକ୍ଷେପ କରିଥିବାବେଳେ ତାଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି ଉପାଧ୍ୟକ୍ଷ ପ୍ରଶ୍ନ କରିଛନ୍ତି । ଏଥିସହ ଏହି ଘଟଣାରେ ବିଧାୟକଙ୍କ କୌଣସି ସଂପୃକ୍ତି ନଥିବାବେଳେ ତାଙ୍କୁ ବଦନାମ କରିବା ପାଇଁ ବିଜେଡି ମୁଖପାତ୍ର ଏଭଳି ଅଭିଯୋଗ କରୁଥିବା କୁହାଯାଇଛି । ବେଆଇନ ଭାବେ ଟାଉନ ହଲ ପାଚେରୀ ନିର୍ମାଣ କାମ ହେଉଥିବାବେଳେ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପାଚେରୀ ଭଙ୍ଗାଯାଇଥିବା ବିଜେପି କହିଛି । ଟାଉନ ହଲରେ ପ୍ରବେଶ ଏବଂ ପ୍ରସ୍ଥାନ ଲାଗି ୨ଟି ଗେଟ ରହିଥିବାବେଳେ ଗୋଟିଏ ଗେଟକୁ ବଳପୂର୍ବକ ବନ୍ଦ କରାଯାଉଥିବାରୁ ତାହାକୁ ଖୋଲି ଦିଆଯାଇଛି । ଅନ୍ୟପଟେ ଘଟଣାସ୍ଥଳରେ ମିଶନ ଶକ୍ତିର ଜଣେ ହେଲେ ମହିଳା ନଥିବାବେଳେ ତାଙ୍କୁ ଅସମ୍ମାନ କରାଯାଇଥିବା ନେଇ ମିଛ ଅଭିଯୋଗ ହୋଇଛି । ସେହିପରି ବିଧାୟକ ଶ୍ରୀ ପାଣିଗ୍ରାହୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ଘଟଣାସ୍ଥଳରେ ଫଟୋ ଭିଡ଼ିଓ ଉତ୍ତୋଳନ ପାଇଁ ବାରଣ କରିବା ଘଟଣା ଲାଗି କ୍ଷମା ପ୍ରାର୍ଥନା କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱାଧୀନ କାଉନସିଲର ଧର୍ମେନ୍ଦ୍ର କୁମାର ଦେବତା ଓ ବିଜେପି ଯୁବ ମୋର୍ଚ୍ଚା ସଭାପତି ସନ୍ତୋଷ କୁମାର ଭୂତିଆ ଦଳ ପକ୍ଷରୁ ନିଜ ମତ ରଖିଥିବାବେଳେ ପୌରପରିଷଦର ସମସ୍ତ ବିଜେପି କାଉନସିଲର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଧୀର କୁମାର ବ୍ରହ୍ମା ଓ ଦୟାଶଙ୍କର ଦ୍ୱିବେଦୀ ପ୍ରମୁଖ ମଞ୍ଚାସିନ ଥିଲେ ।