ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ସଦର ମହକୁମାରେ ଥିବା ଏକ ମାତ୍ର ମସଜିଦରେ ମୁସଲିମ ସମ୍ପ୍ରଦାୟର ଦୁଇ ଗୋଷ୍ଠୀ ମଧ୍ୟରେ ନମାଜ ପାଠକୁ ନେଇ ଦୀର୍ଘ ୧୧ ବର୍ଷ ଧରି ଲାଗି ରହିଥିବା ବିବାଦରେ ଆଜି ସ୍ଥାୟୀ ପୂର୍ଣ୍ଣଚ୍ଛେଦ ପଡିଛି। ଦେବଗଡ଼ ମସଜିଦରେ ନମାଜ ପାଠକୁ ନେଇ ଗତ ୨୦୦୯ ମସିହା ଅକ୍ଟୋବର ୩୦ ତାରିଖ ଦିନ ବରେଲୀ ଓ ଦେଓବନ୍ଦ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ପରେ ଉକ୍ତ ଦିନ ଠାରୁ ମସଜିଦ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିଲା। ପରେ ମାମଲା ୱାକଫ ବୋର୍ଡ ନିକଟରେ ପହଞ୍ଚିବା ପରେ ମସଜିଦରେ ଉଭୟ ପକ୍ଷଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଥିଲା।
ଉଭୟ ପକ୍ଷ ନିଜ ନିଜ ଜିଦରେ ଅଟଳ ରହୁଥିବା କାରଣରୁ ବିବାଦ ସମାଧାନ ହୋଇ ନପାରି ମସଜିଦ ମୁଖ୍ୟ ଫାଟକରେ ତାଲା ପକାଇ ଦିଆଯାଇଥିଲା। ବିବାଦର ସମାଧାନ ପାଇଁ ୱାକଫ ବୋର୍ଡ ବହୁ ବାର ଉଦ୍ୟମ କରି ବିଫଳ ହେବା ପରେ ଗତ ଜୁନ ୨୪ ତାରିଖ ଦିନ କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ତଥା ବିଜେଡି ରାଜ୍ୟ ସଂଖ୍ୟାଲଘୁ ସେଲ ସାଧାରଣ ସମ୍ପାଦକ ହାଜି ମହମ୍ମଦ ଆୟୁବ ଖାଁ’ଙ୍କ ବାସ ଭବନରେ ମୁସଲିମ ସମ୍ପ୍ରଦାୟର ଭଦ୍ର ମଣ୍ଡଳୀଙ୍କ ଉପସ୍ଥିତରେ ଦେବଗଡ଼ ମୁସଲିମ ସମ୍ପ୍ରଦାୟର ବରେଲୀ ଓ ଦେଓବନ୍ଦ ଗୋଷ୍ଠୀର ମୁଖ୍ୟ ଓ ବରିଷ୍ଠ ସଦସ୍ୟଙ୍କୁ ନେଇ ଏକ ବୈଠକ ଆୟୋଜନ କରାଯାଇଥିଲା। ଉକ୍ତ ବୈଠକର ନିଷ୍ପତି ଅନୁଯାୟୀ ଦେବଗଡ଼ ମସଜିଦ କୋଠା ସମେତ ୨୧ ଡିସିମିଲ ଜମିରୁ ବରେଲୀ ଗୋଷ୍ଠୀକୁ ୧୪ ଡିସିମିଲ ଓ ଦେଓବନ୍ଦ ଗୋଷ୍ଠୀଙ୍କୁ ୭ ଡିସିମିଲ ଜମି ସର୍ବସମ୍ମତି କ୍ରମେ ବାଣ୍ଟି ଦିଆଯିବା ସହ ଉଭୟ ପକ୍ଷଙ୍କ ମଧ୍ୟରେ ଚୁକ୍ତିନାମା କରାଯାଇ ମସଜିଦ କୋଠାର ଚାବିକୁ ବରେଲୀ ଗୋଷ୍ଠୀର ସଭାପତି ସେକ ସୈଫଉଦ୍ଦିନଙ୍କୁ ପ୍ରଦାନ କରାଯାଇଥିଲା।
