ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅଞ୍ଚଳରେ ପଡ଼ୋଶୀ ଛତିଶଗଡ଼ର ପାଉଁଶ ବୋଝେଇ ଭାରିଯାନ ଚଳାଚଳକୁ ବନ୍ଦ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏଥିପାଇଁ ଆଜି ଲୋକେ ପଞ୍ଚଗାଁ ନିକଟରେ ଏନଏଚ ୪୯କୁ ଅବରୋଧ କରି ସମସ୍ତ ଭାରିଯାନ ଚଳାଚଳକୁ ବନ୍ଦ କରି ଆନ୍ଦୋଳନ କରିଛନ୍ତି। ଛତିଶଗଡ଼ରୁ କନକତୋରା ପଞ୍ଚଗାଁ ଦେଇ ଦୈନିକ ସହସ୍ରାଧିକ ପାଉଁଶ ବୋଝେଇ ଭାରୀଯାନ ଚଳାଚଳ କରୁଛିି। ଫଳରେ ଏହି ରସ୍ତାଟି ଅସୁରକ୍ଷିତ ହେବା ସହ ପାଉଁଶ ବୋଝେଇ ଟ୍ରକରୁ ପାଉଁଶ ରାସ୍ତା ତଥା ଆଖପାଖ ଅଞ୍ଚଳରେ ପଡ଼ି ପରିବେଶ ପ୍ରଦୂଷିତ ହେଉଛି। ତେଣୁ ଛତିଶଗଡ଼ ପଟୁ କନକତୋରା ପଞ୍ଚଗାଁ ଦେଇ ଓଡ଼ିଶାକୁ ପ୍ରବେଶ କରୁଥିବା ପାଉଁଶ ବୋଝେଇ ଭାରୀଯାନ ଉପରେ ରୋକ ଲଗାଯାଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଘଟଣାସ୍ଥଳକୁ ବ୍ରଜରାଜନଗର ଏସିଡିପିଓ ଦିଲ୍ଲୀପ ଦାସ, ଲଖନପୁର ଅତିରିକ୍ତ ତହସିଲଦାର ମାନସ ରଞ୍ଜନ ରାୟ ଓ ପୁଲିସ ଦଳ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଛନ୍ତି। ତେବେ ପାଉଁଶ ବୋଝେଇ ଟ୍ରକ ଚଳାଚଳକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରାନଗଲେ ଏନଏଚ-୪୯ରେ ପଞ୍ଚଗାଁ ଦେଇ କୌଣସି ଯାନ ଚଳାଚଳ କରିବାକୁ ଦିଆଯିବ ନାହିଁ ବୋଲି ସ୍ଥାନୀୟ ଲୋକେ ରୋକଠୋକ କହିଥିଲେ। ଦୀର୍ଘ ୪ ଘଣ୍ଟାର ରାସ୍ତାରୋକ ପରେ ଏହି ରାସ୍ତାରେ ଛତିଶଗଡ଼ରୁ ଆସୁଥିବା ପାଉଁଶ ବୋଝେଇ ଭାରୀଯାନ ଚଳାଚଳ ଉପରେ ପ୍ରାଶାସନ ପକ୍ଷରୁ ରୋକ ଲଗାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସ୍ଥାନୀୟ ଲୋକେ ଆନ୍ଦୋଳନରୁ ଓହରିଥିଲେ।
ପ୍ରକାଶଯୋଗ୍ୟ, ଗତ ୧୭ ତାରିଖ ରେଙ୍ଗାଲି ଥାନା ଅନ୍ତର୍ଗତ କତରବଗା ଛକ ନିକଟରେ ଛତିଶଗଡ଼-ରାୟଗଡ଼ ଏନଟିପିସି ଲରାଠାରୁ ପାଉଁଶ ବୋଝେଇ ହୋଇ ବଡ଼ବିଲ ରିମୁଲି କୋଇଡ଼ା ଅଞ୍ଚଳକୁ ଯାଉଥିବା ୯ଟି ଟ୍ରକକୁ ସ୍ଥାନୀୟ ଲୋକେ ଅଟକାଇ ପୁଲିସର ଜିମା ଦେଇଥିଲେ। ଏହାସହ ପୁିଲସ ମଧ୍ୟ ଆଉ ୫ଟି ପାଉଁଶ ବୋଝେଇ ଟ୍ରକ ଅଟକ ରଖିଥିଲା। ହେଲେ ଏହି ପାଉଁଶ ବୋଝେଇ ଟ୍ରକ କେଉଁଠୁ ଆସୁଛି, ବିନା ଅନୁମତିରେ ଓଡ଼ିଶା ଭିତରକୁ ପ୍ରବେଶ କିପରି କରୁଛି ସେସେବୁର ଉଚ୍ଚସ୍ତରୀୟ ତଦନ୍ତ ହେବା ପରିବର୍ତ୍ତେର୍ ୭ଟି ଟ୍ରକରୁୁ ପ୍ରଶାସନ, ପରିବହନ ବିଭାଗ ଓ ପ୍ରଦୂଷଣ ବିଭାଗ ଅଧିକାରୀ ମାତ୍ର ୧୪ ହଜାର ଟଙ୍କାର ଫାଇନ କାଟି ଛାଡ଼ି ଦେବାରୁ ଆଜି ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ରାସ୍ତାରୋକ କରିଥିଲେ।