ହଜିଲା ମାନବିକତା : ପ୍ରେମରେ ଅନ୍ଧ ହୋଇ ଦୁଇ ପିଲାଙ୍କୁ ଛାଡି ପ୍ରେମିକ ସହ ମା’ ଚମ୍ପଟ୍

କଟକ, ଏନଏନଏସ: ହଜିଯାଇଛି ମାନବିକତା। ପ୍ରେମ ପାଇଁ ଜଣେ ମା’ ତା’ର ଦୁଇ ପିଲାଙ୍କୁ ଛାଡି ଅନ୍ୟ ସହ ପୁରୁଷ ସହ ଫେରାର ହୋଇଯାଇଛି। ଏଭଳି ଏକ ଘଟଣା ଦସେଖିବାକୁ ମିଳିଛି ଚାଉଳିଆଗଞ୍ଜ ଅଂଚଳରେ। ଏହି ଘଟଣା ସହରରେ ଚର୍ଚ୍ଚାର ବିଷୟ ହୋଇଉଠିଛି। ଅନ୍ୟ ପକ୍ଷରେ ଅସହାୟ ଦୁଇଟି ପିଲା ରାସ୍ତାରେ ବୁଲୁଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇ ବସୁନ୍ଧରାରେ ରଖାଯାଇଛି।

ପ୍ରାପ୍ତ ଖବର ଅନୁସାରେ ପୁରୀ ଅଂଚଳର ଜଣେ ମହିଳା ତାଙ୍କର ୯ ବର୍ଷର ଝିଅ ଓ ୩ ବର୍ଷର ପୁଅଙ୍କୁ ଧରି ଟ୍ରେନରେ କଟକ ଆସି ଓଏମପି ଛକରେ ପହଂଚିଥିଲେ। ସେଠାରେ ଏକ ଜଳଖିଆ ଦୋକାନରେ ପିଲାଙ୍କୁ ଖାଇବାକୁ ଦେଇଥିଲେ। ସେଠାରେ ପୂର୍ବରୁ ତାଙ୍କର ପ୍ରେମିକ ଅପେକ୍ଷା କରି ରହିଥିଲେ। ମହିଳା ଜଣକ ତାଙ୍କ ସହ କିଛି ସମୟ କଥାବାର୍ତ୍ତା ହେବା ପରେ ହଠାତ୍ ବାଇକରେ ପଳାଇଥିଲେ। ଅନ୍ୟପକ୍ଷରେ ମା’ଙ୍କୁ ନ ପାଇ ଏହି ଦୁଇ ଶିଶୁ ଅସହାୟ ଭାବେ କ୍ରନ୍ଦନ କରିଥିଲେ। ଗତ ଶୁକ୍ରବାର ଏହି ଘଟଣା ଘଟିଥିବା ବେଳେ ପିଲାଦ୍ୱୟଙ୍କର ଚିତ୍କାର ଶୁଣି ସ୍ଥାନୀୟ ଅଂଚଳର ତୁକୁନା ଦାସ ସେଠାରେ ପହଂଚି ସେମାନଙ୍କୁ ବୁଝାସୁଝା କରିଥିଲେ ଓ ଝିଅଠାରୁ ସମସ୍ତ ଘଟଣା ଜାଣିଥିଲେ।

ଶିଶୁଙ୍କୁ ଚାଉଳିଆଗଂଜ ଥାନାକୁ ସେ ନେଇ ପୋଲିସ ଜିମା ଦେଇଥିଲେ। ଏ ବିଷୟରେ ଖବର ପାଇ ପୋଲିସ ଚାଇଲ୍ଡ ଲାଇନର କର୍ମକର୍ତା ଚାଉଳିଆଗଞ୍ଜ ଥାନାରେ ପହଂଚି ଶିଶୁ ଦ୍ୱୟଙ୍କୁ ଆଣି ସିଡବ୍ଲ୍ୟୁସିରେ ହାଜର କରିଥିଲେ। ସିଡବ୍ଲ୍ୟୁସି ପକ୍ଷରୁ ସେମାନଙ୍କ ବୟାନ ରେକର୍ଡ କରାଯାଇଥିଲା। ତା’ ପରେ ସେମାନଙ୍କୁ ବସୁନ୍ଧରାରେ ରଖାଯାଇଛି। ଉଦ୍ଧାର ହୋଇଥିବା ୯ ବର୍ଷର ଝିଅ ମୀରା ପୁଲିସ ନିକଟରେ କହିଛି ଯେ, ତାଙ୍କ ପିତା ସୁଦାମ ନାୟକ ଜଣେ ରିକ୍ସା ଚାଳକ। ସେମାନେ ପୁରୀ ମାର୍କଣ୍ଡେଶ୍ୱର ସାହିର ହରିଜନ ବସ୍ତିରେ ରହୁଥିଲେ। ତେବେ ପରବର୍ତୀ ସମୟରେ ସୁଦାମଙ୍କ ସହିତ ମନୋମାଳିନ୍ୟ ହେବାରୁ ସେହି ବସ୍ତିରେ ସେମାନେ ଅଲଗା ହୋଇଯାଇଥିଲେ। ପୁଲିସର ସୂଚନା ପାଇ ସିଡବ୍ଲ୍ୟୁସିର ଅଧ୍ୟକ୍ଷା ମନ୍ଦାକିନୀ ଜେନା ଥାନାକୁ ଆସି ଇନ୍ସପେକ୍ଟର ତାପସ ପ୍ରଧାନଙ୍କ ସହିତ କଥାବାର୍ତା କରିବା ପରେ ଦୁଇ ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଖାଇବାକୁ ଦିଆଯାଇ ବସୁନ୍ଧରାକୁ ପଠାଯାଇଥିଲା।