ପିସିଆର୍ ଭ୍ୟାନ୍ ଉପରେ ମାଓବାଦୀଙ୍କ ଆକ୍ରମଣ : ୪ ପୁଲିସ ସହିଦ

ରାଂଚି, ଏଜେନ୍ସି : ଆସନ୍ତା ୩୦ରେ ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ହେବାକୁ ଯାଉଥିଲାବେଳେ ଏହାର ଅବ୍ୟବହିତ ପୂର୍ବରୁ ଲତେହାର ଜିଲ୍ଲାରେ ପୁଲିସ କଣ୍ଟ୍ରୋଲ ରୁମ୍ (ପିସିଆର୍) ଭ୍ୟାନ୍ ଉପରେ ମାଓବାଦୀଙ୍କ ଆକ୍ରମଣ ଯୋଗୁଁ ୪ ଜଣ ପୁଲିସ କର୍ମଚାରୀ ସହିଦ ହୋଇଛନ୍ତି। ଏହି ୪ ଜଣଙ୍କ ମଧ୍ୟରେ ଜଣେ ଏଏସଆଇ ଅଛନ୍ତି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ଶୁକ୍ରବାର ବିଳମ୍ବିତ ରାତିରେ ଚାନ୍ଦୱା ଥାନାର ଏକ ପିସିଆର୍ ଭ୍ୟାନ୍ ଫେରୁଥିବା ସମୟରେ ୨୨ ନମ୍ବର ଜାତୀୟ ରାଜପଥର ରୁକାୟା ମୋରେ ନିକଟରେ ମାଓବାଦୀମାନେ ଅତର୍କିତ ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ଅନ୍ୟଜଣଙ୍କର ହସ୍ପିଟାଲ୍ ନିଆଯିବା ବାଟରେ ମୃତ୍ୟୁ ହୋଇଛି। ଏମାନେ ହେଲେ ଏଏସଆଇ ଶୁକ୍ରା ଓରାମ, କନଷ୍ଟେବଳ ସିକନ୍ଦର ସିଂହ ଓ ଶମ୍ଭୁ ପ୍ରସାଦ ଏବଂ ଡ୍ରାଇଭର ଯମୁନା ପ୍ରସାଦ। ଝଡ଼ଖଣ୍ଡ ପୁଲିସ ମହାନିର୍ଦ୍ଦେଶକ କେଏନ୍ ଚୌବେ ଖବର ପାଇ ତୁରନ୍ତ ଘଟଣାସ୍ଥଳକୁ ଅତିରିକ୍ତ ବାହିନୀ ପଠାଇବା ଲାଗି ନିର୍ଦ୍ଦେଶ ଦେଇଥିଲେ। ଉଲ୍ଲେଖଯୋଗ୍ୟ ଝାଡ଼ଖଣ୍ଡରେ ୫ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଡିସେମ୍ବର ୨୩ରେ ଭୋଟଗଣତି ହେବ।