ପୋଖରୀରେ ବୁଡ଼ି ମାଆ ଓ ଝିଅଙ୍କ ମୃତ୍ୟୁ

ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହାଟଭରଣ୍ଡୀ ଗ୍ରାମରେ ଆଜି ଏକ ଅଭାବନୀୟ ଘଟିଯାଇଛି ।
ଗ୍ରାମର ତୁଳସୀରାମ ଗଣ୍ଡଙ୍କ ସ୍ତ୍ରୀ ରଶ୍ମୀ ଗଣ୍ଡ ଓ ୧୧ମାସର ଝିଅ ପିଙ୍କି ପୋଖରୀରେ ବୁଡି ଯିବାରୁ ତାଙ୍କର ମୃତ୍ୟୁ ହୋଇଛି।  ସୂଚନା ଅନୁସାରେ, ଆଜି ସକାଳେ ରଶ୍ମୀ ଝିଅକୁ ଧରି ଘର ପାଖ ପୋଖରୀକୁ ଶୌଚହେବାକୁ ଯାଇଥିଲେ। ସେଠାରେ ଗୋଡ଼ ଖସିଯିବାରୁ ମାଆ-ଝିଅ ଗଭୀର ପାଣିରେ ବୁଡିଯାଇଥିଲେ। କିଛିସମୟ ପରେ ଉକ୍ତ ପୋଖରୀକୁ ଜଣେ ଯୁବକ ଯାଇଥିବାବେଳେ ମହିଳାଙ୍କ ଶବ ଭାସୁଥିବାଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ। ପରେ ଖବରପାଇ ପୁଲିସ ପହଞ୍ଚି ମହିଳାଙ୍କ ଶବ ଉଦ୍ଧାର କରିଥିଲା। ବହୁ ଖୋଜାଖୋଜି କରିବାପରେ ଅଗ୍ନିଶମ ବିଭାଗ ପିଙ୍କିର ମୃତଦେହ  ଉଦ୍ଧାର କରିଥିଲା। ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ଥାନାଧିକାରୀ ରାମଚନ୍ଦ୍ର ଅଗସ୍ତି ଏହି ଘଟଣାର ତଦନ୍ତ କରୁଛନ୍ତି।