ବାରଙ୍ଗ ଅଞ୍ଚଳରେ ହୋଇଥିବା ବହୁ ଚର୍ଚ୍ଚିତ ଗଣ ଦୁଷ୍କର୍ମ ଘଟଣା: ବିବନ ଗିରଫ

କଟକ,ଏନ୍ଏନ୍ଏସ୍: ବହୁ ଚର୍ଚ୍ଚିତ ବାରଙ୍ଗ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନକୁ ଗିରଫ କରିଛି ପୁଲିସ। ଘଟଣାର ୨୨ ବର୍ଷ ପରେ ଓଡ଼ିଶା ପୁଲିସ ଏହି ଅଭିଯୁକ୍ତକୁ ଗିରଫ କରିଛି। ଏନେଇ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ପ୍ରେସମିଟ କରି ସୂଚନା ଦେଇଛନ୍ତି।

୧୯୯୯ ମସିହା ଜାନୁଆରୀ ୯ ତାରିଖରେ ଘଟିଥିଲା ଏହି ଜଘନ୍ୟ କାଣ୍ଡ। ସୂଚନା ଅନୁସାରେ ପୀଡ଼ିତା ଆମ୍ବାସଡ଼ର କାର ଭିତରେ ତାଙ୍କର ଏକ ବନ୍ଧୁଙ୍କ ସହ ଢ଼ାବାରେ ଚା’ ପିଇଥିଲେ। ସେଠାରୁ ତାଙ୍କୁ ୩ ଜଣ ଅଜଣା ଦୁର୍ବୃତ୍ତ ପିଛା କରିଥିଲେ। ବାଟରେ ଅଭିଯୁକ୍ତମାନେ ପୀଡ଼ିତାଙ୍କ କାରକୁ ଅଟକାଇ ସେଠାରୁ କାରକୁ ବେଲଗାଛିଆ ଶୂନଶାନ ଜାଗାକୁ ନେଇ ସେଠାରେ ସେମାନେ ଗଣ ଦୁଷ୍କର୍ମ କରିଥିଲେ। ଅନ୍ୟଜଣେ ସ୍କୁଟରରେ କାରର ଡ୍ରାଇଭରକୁ ନେଇ ଯାଇଥିଲା। ପରେ ସେମାନଙ୍କ ମଧ୍ୟରୁ ଜଣେ ଭାଲୁକା ଜଙ୍ଗଲକୁ ନେଇ ମଧ୍ୟ ଦୁଷ୍କର୍ମ କରିଥିଲା। ଏହି ଘଟଣାକୁ ନେଇ କଟକ ମହିଳା ଥାନାରେ ଜାନୁଆରୀ ୧୦, ୧୯୯୯ରେ ମାମଲା ରୁଜୁ ହୋଇଥିଲା। ଏବଂ ଜାନୁଆରୀ ୧୨ ତାରିଖରେ ଘଟଣାର ତଦନ୍ତ ରାଜ୍ୟ କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା। ପ୍ରଥମେ ପୁଲିସ ଉକ୍ତ ସ୍କୁଟରଟିକୁ ଜବତ କରିଥିଲା।

ଜାନୁଆରୀ ୨୬ ତାରିଖରେ ୨ ଜଣ ଅଭିଯୁକ୍ତ ପ୍ରଦୀପ ସାହୁ(ପଦିଆ) ଓ ଧୀରେନ୍ଦ୍ର ମହାନ୍ତି(ଟୁନିଆ)କୁ ପୁଲିସ ଗିରଫ କରିଥିଲା। ପରେ ଫେବୃଆରୀ ୨୬ରେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ହାଇକୋର୍ଟ ସିବିଆଇକୁ ମାମଲା ହସ୍ତାନ୍ତର କରିଥିଲା। ତଦନ୍ତ ସାରି ମେ’ ୫, ୧୯୯୯ରେ ପଦିଆ, ଟୁନିଆ ଓ ପଳାତକ ଅଭିଯୁକ୍ତ ବିବନ ବିଶ୍ୱାଳ ବିରୋଧରେ ଅଭିଯୋଗ ପତ୍ର ଦେଇଥିଲେ। ଅପରାଧର ବିଚାର ଭୁବନେଶ୍ୱରର ତତ୍କାଳନୀନ ଜିଲ୍ଲା ଜଜ୍ ମହେନ୍ଦ୍ର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିଲା। ୨୯ ଏପ୍ରିଲ ୨୦୦୨ରେ ଏହି ମାମଲାର ରାଏ ପ୍ରକାଶ ପାଇଥିଲା। ଏହି ଘଟଣାରେ ପଦିଆ ଓ ଟୁନିଆକୁ କୋର୍ଟ ପକ୍ଷରୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଗଲା।

ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ନାମ ବଦଳାଇ ପୁଣେର ଆମ୍ବି ଭ୍ୟାଲିରେ ଜଳନ୍ଧର ସ୍ୱାଇଁ ପରିଚୟ ଦେଇ ପାଣି ମିସ୍ତ୍ରି ଭାବେ କାମ କରୁଥିଲା। ଏପରିକି ପରିଚୟ ପ୍ରତ, ଆଧାର କାର୍ଡ ଓ ପାସବୁକ୍ ମଧ୍ୟ ଜଳନ୍ଧର ନାଁରେ କରିଥିଲା। ପୁଲିସ ଅଭିଯୁକ୍ତକୁ ଧରିବା ପାଇଁ ୩ ମାସ ତଳେ ‘ସାଇଲେଣ୍ଟ ବାଇପର’ ମିଶନର ଆରମ୍ଭ କରି ଗିରଫ କରିଛି। ଯାହା ସିବିଆଇ କରିପାରି ନଥିଲା ଆମେ ତାହା କରି ସଫଳ ହୋଇଛୁ ବୋଲି ସୁଧାଂଶୁ କହିଛନ୍ତି। ଏନେଇ ସିବିଆଇକୁ ମଧ୍ୟ ସୂଚନା ଦେଇଛୁ ବୋଲି ସିପି କହିଛନ୍ତି।