ବେପରୁଆ ବାଇକ ଚାଳନା ଯୋଗୁଁ ଦୁର୍ଘଟଣା: ଜଣେ ମୃତ, ଜଣେ ଗୁରୁତର

ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ଥାନା ଅନ୍ତର୍ଗତ ସଳପଘାଟି ଛକ ଠାରେ ବାଇକ ଆରୋହୀ ବେପରୁଆ ଗାଡି ଚାଳନା ଯୋଗୁଁ ବାଇକ ଦୁର୍ଘଟଣା ଘଟି ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇ ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ ମଳେହିପଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହରିହରପୁର ଗ୍ରାମର ଶ୍ରୀକର ସାହୁଙ୍କ ପୁତ୍ର ବୁଲୁ ସାହୁ (୩୦) ଓ ଶ୍ରଦ୍ଧାକର ବେହେରାଙ୍କର ପୁତ୍ର ଆନନ୍ଦ ବେହେରା (୨୫) ସାଙ୍ଗ ହୋଇ ସକାଳୁ ଏକ ଏଚଏଫ ଡିଲକ୍ସ ବାଇକ (ଓଡି-୨୮ଏ-୧୬୧୫) ଯୋଗେ ବୁଲିବାକୁ ବାହାରି ଥିଲେ।

ବେପରୁଆ ଗାଡି ଚାଳନା ଯୋଗୁଁ ସଳପଘାଟି ଛକ ଠାରେ ରାସ୍ତା କଡରେ ଥିବା ଛୋଟ ଖୁଣ୍ଟିରେ ଧକ୍କା ହୋଇଥିଲା। ଫଳରେ ବୁଲୁ ସାହୁ ରାସ୍ତାର ୮ ଫୁଟ ତଳକୁ ଖସି ପଡିଥିଲା। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ଦୁଇ ଜଣଙ୍କୁ ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲା। ଡାକ୍ତରଖାନାରେ ଡାକ୍ତର ସଞ୍ଜୟ କୁମାର ପାଣି ବୁଲୁକୁ ମୃତ ଘୋଷଣା କରିଥିଲେ। ଆନନ୍ଦକୁ ପ୍ରାଥମିକ ଚିକିତ୍ସା କରାଯାଇଛି। ମୃତ ବୁଲୁର ଶବ ବ୍ୟବଚ୍ଛେଦ ପାଇଁ ଦେବଗଡ଼ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି।