ଭୁବନେଶ୍ୱର,ଏନ୍ଏନ୍ଏସ୍: ଏସଟିଏଫ୍ କ୍ରାଇମବ୍ରାଞ୍ଚ ଚଢ଼ଉରେ ବିପୁଳ ପରିମାଣର ବ୍ରାଉନସୁଗର ଜବତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ବାରିପଦା ସ୍ଥିତ ଜାତୀୟ ରାଜପଥ-୧୬ ନିକଟ କୁଲିଅନା ଅଞ୍ଚଳରେ ବ୍ରାଉନସୁଗର କାରବାର ହେଉଥିବା ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ଏନେଇ ଆଜି ସକାଳେ ଏସଟିଏଫ କ୍ରାଇମବ୍ରାଞ୍ଚର ଏକ ଟିମ କୁଲିଅନା ଅଞ୍ଚଳରେ ଚଢ଼ଉ କରିଥିଲେ।
ଏହି ସମୟରେ ୩.୨୮ କେଜିର ବ୍ରାଉନସୁଗର ଜବତ ହେବା ସହ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୩ କୋଟିରୁ ଊର୍ଦ୍ଧ୍ୱ ହେବ ବୋଲି କୁହାଯାଉଛି। ତେବେ ଏ ସମ୍ପର୍କରେ ପୁଲିସ ଡିଜି ଶ୍ରୀ ଅଭୟ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି।
ସେହିପରି ଚଳିତ ବର୍ଷ ମଧ୍ୟରେ ଏସଟିଏଫ ରାଜ୍ୟର ବିଭିନ୍ନ ସ୍ଥାନରୁ ୧୫.୬୪ କେଜିର ବ୍ରାଉନସୁଗର ଜବତ କରିଥିବା ବେଳେ ୪୦ ଜଣ ଡ୍ରଗ ଡିଲରଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ସେହିପରି ବ୍ରାଉନସୁଗର ବିରୋଧୀ ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି ଏସଟିଏଫ୍ ସୂଚନା ଦେଇଛି।