ଦେଶରେ ଦିନକରେ ରେକର୍ଡସଂଖ୍ୟକ ୫୭,୧୧୭ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ଦେଶରେ କରୋନା କାୟା ବିସ୍ତାର କରି ଚାଲିଥିବାବେଳେ ଦୈନିକ ରେକର୍ଡସଂଖ୍ୟକ ମାମଲା ସାମ୍ନାକୁ ଆସୁଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବକ, ଗତ ୨୪ ଘଣ୍ଟାରେ ସର୍ବାଧିକ ୫୭ ହଜାର ୧୧୭ଟି ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ଲକ୍ଷ ୯୫ହଜାର ୯୮୯କୁ ଟପିଯାଇଛି। ଅନ୍ୟପଟେ ଦିନକରେ ୭୬୪ଜଣଙ୍କର ମୃତ୍ୟୁ ଘଟିବା ସହ ମୋଟ ମୃତକଙ୍କ ସଂଖ୍ୟା ୩୬ ହଜାର ୫୧୧କୁ ବୃଦ୍ଧି ପାଇଛି। ଏଥିସହିତ ୧୦ଲକ୍ଷ ୯୪ହଜାର ୩୭୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୫ଲକ୍ଷ ୬୫ ହଜାର ୧୦୩ ଜଣ ଚିକିତ୍ସିତ ହେଉଛନ୍ତି।

ଦେଶରେ କରୋନା ଯୋଗୁ ମହାରାଷ୍ଟ୍ର ସବୁଠୁ ଅଧିକ ପ୍ରଭାବିତ ହୋଇଛି। ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ୯୩ ହଜାରରୁ ଅଧିକ ଲୋକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମହାରାଷ୍ଟ୍ର ପରେ ସକ୍ରିୟ ଥିବା ସଂକ୍ରମିତଙ୍କ ମାମଲାରେ ତାମିଲନାଡ଼ୁ, ଦିଲ୍ଲୀ, ଗୁଜରାଟ ଓ ପଶ୍ଚିମବଙ୍ଗ ଯଥାକ୍ରମେ ଦ୍ୱିତୀୟ, ତୃତୀୟ, ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛି। ସେହିପରି ଚିକିତ୍ସାଧୀନ ଥିବା ସଂକ୍ରମିତଙ୍କ ମାମଲାରେ ଭାରତ ବିଶ୍ୱରେ ଚତୁର୍ଥ ସ୍ଥାନରେ ରହିଛି।

ସୂଚନାଯୋଗ୍ୟ, ବିଶ୍ୱରେ କରୋନା ଯୋଗୁ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଦେଶ ତାଲିକାରେ ଆମେରିକା ଏବେ ବି ଶୀର୍ଷରେ ରହିଛି। ଆମେରିକାରେ ୪୭ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଥିବାବେଳେ ୧ଲକ୍ଷ ୫୬ ହଜାର ଲୋକ ପ୍ରାଣ ହରାଇଛନ୍ତି। ଆମେରିକାରେ ଗତ ୨୪ ଘଣ୍ଟାରେ ୭୦ ହଜାର ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୧,୪୬୨ ଜଣଙ୍କର ମୃତ୍ୟୁ ଘଟିଛି। ଆମେରିକା ପରେ ବ୍ରାଜିଲରେ ମଧ୍ୟ କରୋନା ପ୍ରକୋପ ଜାରି ରହିଛି। ବ୍ରାଜିଲରେ ୨୬ ଲକ୍ଷରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଥିବାବେଳେ ୯୩ ହଜାର ୫୬୮ଜଣଙ୍କର ମୃତ୍ୟୁ ଘଟିଛି।