ଚଳିତ ଆର୍ଥିକ ବର୍ଷର ପ୍ରଥମ ଦୁଇ ମାସରେ ୫୦%ରୁ ଅଧିକ ରାଜସ୍ୱ ହାନି

ନୂଆଦିଲ୍ଲୀ,ଏଜେନ୍ସି: କରୋନା ସଂକ୍ରମଣ ରୋକିବାକୁ ଦେଶକୁ ଲକଡାଉନ କରାଯାଇଥିବା ବେଳେ ଏଥିରେ ଦେଶର ଅର୍ଥନୀତି ବେଶ୍ ପ୍ରଭାବିତ ହୋଇଛି। କେବଳ ସାଧାରଣ ଲୋକଙ୍କ ରୋଜଗାର ନୁହେଁ, ରାଜ୍ୟ ସରକାରଙ୍କ ଆୟ ବି ହ୍ରାସ ପାଇଛି। ସେହିପରି କେତେକ ସଂସ୍ଥା କର୍ମଚାରୀଙ୍କୁ ଦରମା ଦେଇନପାରିବାରୁ ଛଟେଇ କରିବାକୁ ବାଧ୍ୟ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ଦୁଇ ମାସରେ ସରକାରଙ୍କ ୫୦ ପ୍ରତିଶତରୁ ଅଧିକ ରାଜସ୍ୱ ହାନି ହୋଇଥିବା ଜଣାପଡ଼ିଛି।

ସୂଚନା ମୁତାବକ, ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ୨ ମାସରେ ଦେଶରୁ ୭ ହଜାର କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ଏହା ୩ ହଜାର କୋଟିକୁ ଖସିଆସିଛି। ଗତବର୍ଷ ଖଣିକ୍ଷେତ୍ରରୁ ଏହି ଦୁଇ ମାସରେ ୨୧ ଶହ କୋଟି ଟଙ୍କାର ରାଜସ୍ୱ ମିଳିଥିବା ବେଳେ ଚଳିତ ବର୍ଷ ମାତ୍ର ଏକ ହଜାର କୋଟି ଟଙ୍କା ରାଜସ୍ୱ ମିଳିଛି। ସେହିପରି ଜିଏସଟି ବାବଦରେ ଗତବର୍ଷ ପ୍ରାୟ ୨ ହଜାର କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ଚଳିତ ବର୍ଷ ଏପ୍ରିଲ-ମେ’ ମାସରେ ୧୧ଶହ ୯୨ କୋଟି ଟଙ୍କା ମିଳିଛି।

ତେବେ ରାଜସ୍ୱ ହ୍ରାସ ପାଉଥିବାରୁ କିପରି କର୍ମଚାରୀଙ୍କୁ ଦରମା ଦିଆଯିବ ତାହା ଏବେ ଚିନ୍ତାର କାରଣ ପାଲଟିଛି। ସେହିପରି ଦେଶରେ ବିଭିନ୍ନ ଯୋଜନା କିପରି କାର୍ଯ୍ୟକାରୀ ହେବ, ସରକାରଙ୍କ ମୁଣ୍ଡରେ ଚିନ୍ତା ଘାରିଛି। ଜିଏସଟି, ଭ୍ୟାଟ, ଖଣି କ୍ଷେତ୍ରକୁ ଛାଡିଦେଲେ ଅବକାରୀ ଶୁଳ୍କ, ମୋଟର ଯାନ, ଷ୍ଟାମ୍ପ ଡ୍ୟୁଟି ଓ ପଞ୍ଜୀକରଣ ଶୁଳ୍କ ଭଳି ଅନ୍ୟାନ୍ୟ କ୍ଷେତ୍ରରୁ ମଧ୍ୟ ଆୟ କମିବାରେ ଲାଗିଛି। ତେଣୁ ବଜେଟ ଆବଣ୍ଟନ ଅନୁଯାୟୀ ଖର୍ଚ୍ଚ କରିବାକୁ ହେଲେ ସରକାରଙ୍କୁ ଋଣ କରିବାକୁ ପଡ଼ିପାରେ ବୋଲି ଆଶଙ୍କା ରହିଛି।