ଓ୍ଵାଶିଂଟନ୍‌ ଡିସିକୁ ମିଳିପାରେ ଆମେରିକାର ୫୧ ତମ ରାଜ୍ୟର ମାନ୍ୟତା

ଓ୍ଵାଶିଂଟନ୍‌,ଏଜେନ୍ସି: ବଦଳି ପାରେ ଦୀର୍ଘ ବର୍ଷର ଇତିହାସ। ଦୀର୍ଘ ୪୦ ବର୍ଷ ଧରି ଦାବି ହୋଇଆସୁଥିବା ଓ୍ଵାଶିଂଟନ୍‌ ଡିସିକୁ ୫୧ ତମ ରାଜ୍ୟର ମାନ୍ୟତା ମିଳିବା ନେଇ ଆମେରିକା ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭରେ ଆଗତ ହୋଇଥିବା ବିଧେୟକ ପାରିତ ହୋଇଛି। ଏହି ବିଧେୟକ ସମର୍ଥନରେ ହାଉସ୍‌ ଅଫ୍ ରିପ୍ରେଜେଣ୍ଟେଟିଭରେ ୨୩୨ଟି ଭୋଟ ପଡିଥିବା ବେଳେ ବିରୋଧରେ ୧୮୦ଟି ଭୋଟ ପଡିଥିଲା। ଡେମୋକ୍ରାଟିକ୍‌ଙ୍କ ବହୁମତ ଥିବା ଗୃହରେ ଏହା ପାରିତ ହେବାପରେ ଏବେ ୟୁଏସ୍ ସିନେଟକୁ ଯିବ।

ସେହିପରି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାକୁ ଖୋଲା ଖୋଲି ବିରୋଧ କରିଛନ୍ତି। ଓ୍ଵାଶିଂଟନ୍ ଡିସିକୁ ରାଜ୍ୟ ଭାବେ ମାନ୍ୟତା ଦେବା ଡେମୋକ୍ରାଟିକଙ୍କ ଏକ ଚାଲ୍ ବୋଲି ରିପବ୍ଲିକାନ୍ ପକ୍ଷରୁ ଅଭିଯୋଗ ହୋଇଛି।

ଡେମୋକ୍ରାଟିକ ସଦସ୍ୟଙ୍କ କହିବା ଅନୁସାରେ ଓ୍ୱାଶିଂଟନରେ ଏବେ ୭ ଲକ୍ଷ ବାସିନ୍ଦା ରହୁଛନ୍ତି ଓ ଆମେରିକାର ଭେରମୋଣ୍ଟ ଓ ଓ୍ୱାୟମିଙ୍ଗ ରାଜ୍ୟଠାରୁ ଏଠାରେ ଅଧିକ ଜନ ବସତି ଅଛନ୍ତି। ସେହିପରି ଓ୍ଵାଶିଂଟନ୍ ଡିସିରୁ ଆମେରିକାର ରାଜକୋଷକୁ ଅଧିକ କର ମଧ୍ୟ ଦିଆଯାଉଥିବା କୁହାଯାଇଛି। ତେଣୁ ଓ୍ଵାଶିଂଟନ୍ ଡିସିକୁ ରାଜ୍ୟ ଘୋଷଣା ନ କରିବାରୁ ଏହା ବିଭିନ୍ନ ସମୟରେ ଅଳ୍ପ ଆର୍ଥିକ ସହାୟତା ପାଉଛି। ତେଣୁ ଏହାକୁ ରାଜ୍ୟ ଭାବେ ଘୋଷଣା କରିବା ପାଇଁ ଦାବି ହୋଇଛି।