ବିବାଦରେ ଚାଞ୍ଚେର ପଞ୍ଚାୟତ, ୪ ମାସ ହେଲା ଭତ୍ତା ପାଇନାହାନ୍ତି ବୁଢା ବାପା ଓ ଭିନ୍ନକ୍ଷମ ଝିଅ

କେସିଙ୍ଗା,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତରେ ପିଛା ଛାଡ଼ୁନି ବିବାଦ। କେତେବେଳେ ଖୋଦ ସରପଞ୍ଚ ପିଡ଼ିଏସ୍‌ ଚାଉଳ ଆବଣ୍ଟନରେ ହେଉଥିବା ଦୁର୍ନୀତିକୁ ନେଇ ଦାବି ପୂରଣ ନହେଲେ ଗଣଧାରଣାର ଚେତାବନୀ ଦେଉଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଗୃହ ବଣ୍ଟନରେ ଅନିୟମିତତା ହୋଇ ସେଠାରେ ଢ଼ାବା କରିବା ନେଇ ଅଭିଯୋଗ କେସିଙ୍ଗା ବିଡ଼ିଓଙ୍କ ପାଖରେ ରହିଛି। ଏବେ ଜଣେ  ୮୦ ବର୍ଷର ଅସହାୟ ବୃଦ୍ଧ ଓ ଜଣେ ୪୭ ବର୍ଷୀୟ ଭିନ୍ନକ୍ଷମ ବାପ ଝିଅ ଦୀର୍ଘ ୪ ମାସରୁ ଊର୍ଦ୍ଧ୍ବ ହେବ ଭତ୍ତା ପାଇବାରେ ବଞ୍ଚିତ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି।

ସୂଚନାରୁ ପ୍ରକାଶ ଯେ ଚାଞ୍ଚେର ପଞ୍ଚାୟତର ଚାଞ୍ଚେର ଗ୍ରାମର ଘାସିରାମ ଗଉଡ଼ (୮୦)ର ଅସୁବିଧା ହେତୁ ସେ ଚାଲି ବୁଲି ପାରୁନାହାନ୍ତି କିନ୍ତୁ ତାଙ୍କର ଭିନ୍ନକ୍ଷମ ଝିଅ ହୀରାମଣି ଗଉଡ଼(୪୭) ଚାଳିବାରେ ଅସମର୍ଥ ଥିଲେ ମଧ୍ୟ ଅନେକ ଥର ପଞ୍ଚାୟତ ଯାଇ ଭତ୍ତା ମିଳିନଥିବା ଅଭିଯୋଗ କରିଥିବା ସେ ପ୍ରକାଶ କରିଛନ୍ତି। କିନ୍ତୁ ଭତ୍ତା ତମର ବ୍ୟାଙ୍କ ଆକାଉଣ୍ଟରେ ମିଳିଯିବ ବୋଲି କେବଳ ଆଶ୍ୱାସନା ମିଳୁଥିବା ସେ ପ୍ରକାଶ କରିଛନ୍ତି। ଏନେଇ ଚାଞ୍ଚେର ସରପଞ୍ଚ ଅଞ୍ଜୁ କୁମାରଙ୍କ ପ୍ରତିକ୍ରିୟା ନେବାରୁ ସେ ସିଧାସଳଖ କେସିଙ୍ଗା ବ୍ଲକ୍‌ ପ୍ରଶାସନ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଦୋଷ ଦେଇଥିଲେ। ହିତାଧିକାରୀ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେଥିପାଇଁ ପିଇଓ ସମ୍ପୂର୍ଣ୍ଣ ମାତ୍ରାରେ ଦାୟୀ ବୋଲି ସେ ପ୍ରକାଶ କରିଥିଲେ।

ପ୍ରକାଶ ଥାଉକି କେସିଙ୍ଗା ବ୍ଲକ୍‌ରେ ଜାତୀୟ ବାର୍ଦ୍ଧକ୍ୟ, ବିଧବା ଓ ବିକଳାଙ୍ଗ ଭତ୍ତା ୫୯୮୨ ଜଣ ହିତାଧିକାରୀ ଭତ୍ତା ଆକାଉଣ୍ଟରେ ପାଉଥିବା ବେଳେ ମଧୁବାବୁ ଯୋଜନାରେ ୮୧୩୬ ଜଣ ହିତଧିକାରୀ ଭତ୍ତା ନଗଦ ସିଧାସଳଖ ପାଉଛନ୍ତି ହେଲେ ପିଇଓ ମାନଙ୍କ ମନମାନି ଓ ଭତ୍ତା ଟଙ୍କା ହଡପ ଯୋଗୁଁ ଅନେକ ହିତଧକାରୀ ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ହେଉଛନ୍ତି। ୨୦୨୦/୨୦୨୧ ସୋସିଆଲ ଅଡିଟ ଅନୁସାରେ ଅନେକ ପିଇଓ ଲକ୍ଷ ଲକ୍ଷ ଟଙ୍କା ହଡପ କରିଥିବା ରିପୋର୍ଟ ସାମ୍ନା କୁ ଆସିଛି।ସେଥିପାଇଁ ବ୍ଲକ ପ୍ରଶାସନ ପିଇଓ ମାନଙ୍କୁ ଆୟତ୍ତ ରେ ରଖିବା ପାଇଁ ସାଧାରଣ ରେ ଦାବି ହେଉଛି।