୨୦୨୦-୨୧ରେ ପୁରା ଦେଶରେ କଟାଯାଇଛି ୩୦ ଲକ୍ଷରୁ ଊର୍ଦ୍ଧ୍ୱ ବୃକ୍ଷ; ତୃତୀୟରେ ଓଡ଼ିଶା

ନୂଆଦିଲ୍ଲୀ,ଏଜେନ୍ସି: ଆଜି ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ୟାଦବ୍ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ୨୦୨୦-୨୧ ବର୍ଷରେ ପୁରା ଦେଶରେ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ବୃକ୍ଷ କଟାଯାଇଛି।

ଏସବୁ ବୃକ୍ଷ ଜଙ୍ଗଲ ସଂରକ୍ଷଣ ଅଧିନିୟମ ଅନୁଯାୟୀ କଟାଯାଇଥିବା ମନ୍ତ୍ରୀ କହିଛନ୍ତି। ଗୋଟିଏ ପଟେ ଯେତିକି ବୃକ୍ଷ କଟାଯାଇଛି ସେତିକି ବୃକ୍ଷ ରୋପଣ ପାଇଁ ୨୦୨୦-୨୧ରେ କେନ୍ଦ୍ର ସରକାର ୩୫୯କୋଟି ଟଙ୍କା ଖର୍ଚ୍ଚ କରିଥିବା ମନ୍ତ୍ରୀ ଉତ୍ତରରେ ଉଲ୍ଲେଖ କରିଛନ୍ତି।

ଏକ ଲିଖିତ ବିବୃତ୍ତିରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି ଯେ ବିଭିନ୍ନ କାର୍ଯ୍ୟ, ନିୟମ, ନିର୍ଦ୍ଦେଶାବଳୀ ଏବଂ ନିର୍ଦ୍ଦେଶନାମା ଅନୁଯାୟୀ ବିଭିନ୍ନ ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକୁ ଗଛ କାଟିବା ପାଇଁ ଅନୁମତି ଦିଆଯାଇଛି।

ପ୍ରାୟ ୩୧ ଲକ୍ଷ ବୃକ୍ଷ କଟା ଯାଇଥିବା ବେଳେ ସାଢେ ୩ କୋଟିରୁ ଊର୍ଦ୍ଧ୍ୱ ଚାରା ରୋପଣ ପାଇଁ ମଧ୍ୟ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକୁ ଅନୁକମ୍ପା ଯୋଗାଇ ଦେଇଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି। କଟା ଯାଇଥିବା ୩୧ ଲକ୍ଷ ବୃକ୍ଷ ମଧ୍ୟ ସର୍ବାଧିକ ମଧ୍ୟ ପ୍ରଦେଶରେ କଟାଯାଇଥିବା ବେଳେ ଦ୍ୱିତୀୟରେ ଉତ୍ତରପ୍ରଦେଶ ଓ ତୃତୀୟରେ ଓଡ଼ିଶାରେ ସର୍ବାଧିକ ବୃକ୍ଷ କଟାଯାଇଛି। ଅନ୍ୟପଟେ ଦିଲ୍ଲୀରେ ବର୍ଷ ୨୦୨୦-୨୧ରେ ଗୋଟିଏ ମଧ୍ୟ ବୃକ୍ଷ କଟା ଯାଇନଥିବା ମନ୍ତ୍ରୀ କହିଛନ୍ତି।