ଡ଼ିମିରିପଶି ଆଶ୍ରମ ସ୍କୁଲର ୨୦ରୁ ଅଧିକ ଛାତ୍ରୀ ବସନ୍ତରେ ପୀଡ଼ିତ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ କଣ୍ଟାପାଲି ପଞ୍ଚାୟତ ଅନ୍ତର୍ଗତ ଡ଼ିମିରିପଶି ଗ୍ରାମରେ ରହିଥିବା ଜିଲ୍ଲା ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ ସ୍କୁଲର ୨୦ରୁ ଅଧିକ ଛାତ୍ରୀଛାତ୍ରୀ ବସନ୍ତରେ ପୀଡ଼ିତ ହୋଇଛନ୍ତି । ଅନ୍ୟପଟେ ସଂକ୍ରମଣ ହେବା ଆଶଙ୍କାରେ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ହ୍ରାସ ପାଇବା ସହ ଆତଙ୍କିତ ଅଭିଭାବକମାନେ ନିଜ ପିଲାଙ୍କୁ ଛାତ୍ରୀ ନିବାସରୁ ଘରକୁ ନେଇ ଯାଇଥିବାରୁ ବିଦ୍ୟାଳୟ ଏକ ପ୍ରକାର ଅଚଳ ହୋଇପଡ଼ିଛି। ୨୦୩ ବଦଳରେ ଆଜି ମାତ୍ର ୪୩ ଛାତ୍ରଛାତ୍ରୀ ଉପସ୍ଥିତ ଥିବା ଜଣାପଡ଼ିଛି । ଏନେଇ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ କଳ୍ପନା ଦେହୁରୀ ବାରକୋଟ ଗୋଷ୍ଠୀକେନ୍ଦ୍ର କର୍ତ୍ତୃପକ୍ଷଙ୍କୁ ସୂଚନା ଦେବା ପରେ ଆରବିଏସକେର ଏକ ଟିମ୍ ଗତ ୩୧ ତାରିଖ ଆସି ବୁଲି ଦେଖି ନିଜ ଦାୟିତ୍ୱ ସାରି ଦେଇଥିବାବେଳେ ପୀଡ଼ିତ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଦେଖିବାକୁ କେହି ଆସୁନଥିବା ଜଣାପଡ଼ିଛି । ସପ୍ତାହକ ଧରି ଏପରି ପରିସ୍ଥିତି ଉପୁଜିଥିଲେ ମଧ୍ୟ ସ୍କୁଲ କର୍ତ୍ତୃପକ୍ଷ ଘଟଣାକୁ ଗମ୍ଭୀରତା ସହ ନେଉନଥିବା ଦେଖାଯାଇଛି । ତେବେ ବିଦ୍ୟାଳୟର ଉଭୟ ଛାତ୍ର ଓ ଛାତ୍ରୀ ନିବାସକୁ ସ୍ୱତନ୍ତ୍ର ଡାକ୍ତରୀ ଦଳ ନିୟମିତ ଆସି ପିଲାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଅଭିଭାବକ ଦାବୀ କରିଛନ୍ତି ।