୫ ଲକ୍ଷ ଟଙ୍କା ଲୁଟି ଖସି ଯାଉଥିଲା ଲୁଟେରା, ନାଟକୀୟ ଢଙ୍ଗରେ ଧରିଲା ପୁଲିସ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ୫ଲକ୍ଷ ଟଙ୍କା ଲୁଟି ଖସି ଯାଉଥିବା ଲୁଟେରାକୁ ଧରିବାରେ ପାଟଣାଗଡ଼ ପୁଲିସ ସଫଳ ହୋଇଛି । ମିଳିଥିବା ରିପୋର୍ଟ ମୁତାବକ, ପାଢ଼େଲ ଗାଁର ଏକ କପା ଚାଷୀ ସର୍ବେଶ୍ୱର ପଟେଲ ପାଟଣାଗଡ଼ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ୫ଲକ୍ଷ ଟଙ୍କା ଉଠାଇ ବ୍ୟାଙ୍କରୁ ବାହାରି ରାମଜି ଛକରେ ଥିବା ଏକ ଲୁଗା ଦୋକାନ ଯାଇଥିଲେ । ସେଠାରୁ କାମ ସାରି ଗାଡ଼ିରେ ବସୁଥିବାବେଳେ ଜଗି ରହିଥିବା ଲୁଟେରାମାନେ ଏକ ହଳଦିଆ ରଙ୍ଗର ପଲସରରେ ଦ୍ରୁତ ଗତିରେ ଆସି ତାଙ୍କ ଟଙ୍କା ବ୍ୟାଗ ଲୁଟି ବଲାଙ୍ଗିର ରାସ୍ତାରେ ଫେରାର ମାରିଥିଲେ । ପରେ ଲୁଟର ଶିକାର ହୋଇଥିବା ବ୍ୟକ୍ତି ଓ ପାଟଣାଗଡ଼ ପୁଲିସ ଲୁଟେରାର ପିଛା କରିଥିଲେ । ଅନ୍ୟପଟେ ବଲାଙ୍ଗିର ସଦର ଏସଡିପିଓ ତୋଫନ ବାଗ ପୁଲିସ ଗାଡ଼ିରେ ବଲାଙ୍ଗିର ପଟୁ ଚୁଡ଼ାପାଲି ଆଡ଼କୁ ଯାଉଥିବା ସମୟରେ ସୂଚନା ପାଇ ଲୁଟେରାଙ୍କୁ ଧରିବାକୁ ଉଦ୍ୟମ କରିଥିଲେ । ଏସଡିପିଓଙ୍କୁ ଚକମା ଦେଇ ଲୁଟେରାମାନେ ବଲାଙ୍ଗିର ମୁହାଁ ହୋଇଥିଲେ । ସେହି ସମୟରେ ସଦର ଥାନା ପୁଲିସ ବାଇକ ଓ ଟଙ୍କା ସହ ୨ଜଣଙ୍କୁ କାବୁ କରବାରେ ସଫଳ ହୋଇଥିଲା । ସମ୍ପୃକ୍ତ ଲୁଟେରା ବାହାରଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳର ଏ ସିଦ୍ଧୁ ଓ ଯାଜପୁର ଜିଲ୍ଲାର ବିଜୟ ଦାସ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।