ଇନ୍ଦିରା ଆବାସ ଯୋଜନାରେ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଲୁଟ: ଜେଇ-ଜିଆରଏସ ମଧୁଚନ୍ଦ୍ରିକା ଭିଡିଓ ଭାଇରାଲ

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲା ପଂଚଗାଁ ପଂଚାୟତରେ ପ୍ରଧାନମନ୍ତ୍ରୀ ଆବାସରେ ଲକ୍ଷ ଲକ୍ଷ ଟଙ୍କା ଠକେଇ କରାଯାଇଛି। ଏଥିରେ ପଂଚଗା ପଂଚାୟତର ଜିଆରଏସ ପ୍ରଭାତ ସା ଓ ଲଖନପୁରର ଜୁନିୟର ଇଂଜିନିଅର ପ୍ରକାଶ ସାହୁ ଜଡିତ ଥିବା ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଜୁନିୟର ଇଂଜିନିୟର ଜିଆରଏସ ପ୍ରଭାତ ସା କିପରି ୪ ବର୍ଷରେ ୨୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ଆତ୍ମସାତ କରିଛନ୍ତି ତାର ସମ୍ପୂର୍ଣ୍ଣ ପ୍ରକ୍ରିୟା ବଖାଣିଛନ୍ତି।

ଭାଇରାଲ ଭିଡିଓରେ ସେ କହୁଛନ୍ତି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଏନଆରଇଜିଏସ ସ୍କିମ ଦ୍ୱାର ହିତାଧିକାରୀଙ୍କ ପାଖକୁ ଆସୁଥିବା ଲେବର ପେମେଂଟ ଟଙ୍କା ଜଣକ ପିଛା ୧୬ ହଜାର ହିତାଧୀକାରୀଙ୍କୁ ନଦେଇ ପ୍ରଭାତ ନିଜ ସମ୍ପର୍କିୟଙ୍କ ଆକାଉଣ୍ଟରେ ଜମା କରାଉଥିଲେ। ଏଥିପାଇଁ ତାଙ୍କ ସମ୍ପର୍କୀୟଙ୍କ ନାଁରେ ଲେବର କାର୍ଡ ଥିବା ଜେଇ ପ୍ରକାଶ କରିଛନ୍ତି। ଏହିପରି ଦୂର୍ନିତୀ କରି ପ୍ରଭାତ ସା ବାର୍ଷିକ ୪-୫ ଲକ୍ଷ ଟଙ୍କା ହିସାବରେ ୨୦ ଲକ୍ଷରୁ ଉର୍ଦ୍ଧ ହଡପ କରିଥିବା ଜେଇ ଭଆଇରାଲ ଭିଡିଓରେ ବଖାଣିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ପ୍ରଭାତ ସା ଡ୍ୟୁଟିରେ ଯୋଗଦେଲା ବେଳେ ଜିଆରଏସ କାମ କିଛି ଜାଣି ନଥିଲେ। ସେ ତାଙ୍କୁ କାମ ସିଖାଇଛନ୍ତି। ବିଭିନ୍ନ ଦୂର୍ନିତି ଅଭିଯୋଗରେ ୨୦୧୩ରେ ପଂଚଗା ପ୍ରଭାତ ସା ବିରୋଧରେ ଅଡିଟ ହୋଇ ତଦନ୍ତ ହୋଇଥିଲା ହେଲେ ମଧ୍ୟ ପ୍ରଭାତ କରିଥିବା ଦୂର୍ନିତୀର କୌଣସି ପତ୍ତା ମିଳି ପାରିଲା ନାହିଁ ବୋଲି ଜେଇ କହିଛନ୍ତି। ତେବେ ପଂଚଗା ପଂଚାୟତରେ ହୋଇଥିବା ଦୂର୍ନିତୀକୁ ପଦାରେ ପକାଇବା ପାଇଁ କିଛି ଦିନ ପୂର୍ବେ ରେଙ୍ଗାଲି ଗାଁର ଖୁସିରାମ ପ୍ରଧାନ ଏହା ବାବଦରେ ଜେଇଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ସହ ଜେଇଙ୍କ ଅଜାଣତରେ ଭିଡିଓ ରେକର୍ଡ କରିଥିଲେ।

ଜେଇ ଏହି ଦୂର୍ନିତି ବିଷୟରେ ୨୦୧୩ ମସିହାରୁ ଜାଣିଥିଲେ ତେବ ଅଡିଟ ତଦନ୍ତ ବାଟବଣା ହେଲା କେମିତି। କାହିଁକି ଉପରିସ୍ଥ ଅଧିକାରୀମାନେ ଅଡିଟ ତଦନ୍ତ ବେଳେ ହୋଇଥିବା ଲକ୍ଷାଧିକ ଟଙ୍କାର ଦୂର୍ନିିତୀକୁ ଧରି ପାରିଲେ ନାହିଁ ବୋଲି ଭିଡିଓ ଭଆଇରାଲ ପରେ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏହାସହ ବାର୍ଷିକ ୫ ଲକ୍ଷଟଙ୍କା ହିସାବରେ ଜିଆରଏସ ଓ ଜେଇ ୨୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ଚଳୁ କରିଥିବା ଲୋକେ ଆଲୋଚନା କରୁଛନ୍ତି।

ତେବେ ଭିଡିଓ ରେକର୍ଡ କରିଥିବା ଖୁସିରାମ ପ୍ରଧାନଙ୍କୁ ଏ ବିଷୟରେ ପଚାରିବାରୁ କହିଛନ୍ତି ଜିଆରଏସ ପ୍ରଭାତଙ୍କ କଳାକାରନାମା ବାବଦରେ ସେ ବାରମ୍ବାର ପ୍ରଶାସନର ଦ୍ୱାରସ୍ତ ହୋଇଥିଲେ ସୁଦ୍ଧା ନା ପଂଚାୟତିରାଜ ବିଭାଗ ନା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇନଥିଲେ। ତେଣୁ ସେ ପ୍ରକୃତ ସତ୍ୟ ଲୋକ ଲୋଚନକୁ ଆଣଇବା ପାଇଁ ଜେଇଙ୍କୁ ଦୁର୍ନୀତି ବିଷୟରେ ପଚାରି ଭିଡିଓ ଉତ୍ତୋଳନ କରିଥିଲେ ବୋଲି କହିଛନ୍ତି। ତେବେ ଭିଡିଓ ଭାଇରାଲ ପରେ ଦୁର୍ନୀତି କରିଥିବା ପ୍ରଭାତ ସାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଜେଇଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ପଂଚାୟତବାସୀ ଦାବି କରିଛନ୍ତି।