୧୪ କ୍ୱିଣ୍ଟାଲରୁ ଅଧିକ ମହୁଲ ପୋଚ ନଷ୍ଟ କଲା ପୁଲିସ

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ପୁଲିସ ସାହାଜବାହାଲ ଜଙ୍ଗଲରେ ଚଢଉ କରି ୧୪ କ୍ୱିଣ୍ଟାଲରୁ ଅଧିକ ମହୁଲ ପୋଚ ଜବତ କରି ନଷ୍ଟ କରିଛି। ଲଖନପୁର ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ବେଆଇନ ଦେଶୀ ମଦ ରନ୍ଧା ଏବଂ ବିକ୍ରି ଉପରେ ରୋକ ଲଗାଇବା ପାଇଁ ଅବକାରୀ ବିଭାଗ ଓ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ କରାଯାଉଛି। ଏହି କ୍ରମରେ ସାହାଜବାହାଲ ଜଙ୍ଗଲରେ ବେଆଇନ ଭାବରେ ମଦ ପ୍ରସ୍ତୁତି ହେଉଥିବା ଲଖନପୁର ପୁଲିସ ଖବର ପାଇଥିଲା।

ପରେ ଥାନା ଅଧିକାରୀ ଦୁଃଖୀନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏକ ଟିମ ଚଢ଼ଉ କରିଥିଲା। ଘଟଣାସ୍ଥଳରୁ ବସ୍ତା ଓ ଡ୍ରମରେ ଲୁଚାଯାଇଥିବା ପ୍ରାୟ ୧୪ କ୍ୱିଣ୍ଟାଲରୁ ଅଧିକ ମହୁଲ ପୋଚକୁ ପୁଲିସ ଜବତ କରି ନଷ୍ଟ କରିଛି। ନଷ୍ଟ କରାଯାଇଥିବା ପୋଚର ଆନୁମାନିକ ମୂଲ୍ୟ ପ୍ରାୟ ୪୦ ହଜାର ଟଙ୍କାରୁ ଅଧିକ ହେବ ବୋଲି ପୁଲିସ ସୂଚନା ଦେଇଛି।