ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ସଦର ମହକୁମାସ୍ଥିତ କେ.ସି.ସି. ବ୍ୟାଙ୍କର ଶାଖାରେ ଅର୍ଥ ଆତ୍ମସାତ ଘଟଣାର ଆଜି ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି।
ଶିଖପାଲ୍ଲୀ ଲ୍ୟାମ୍ପସ ଅଧିନରେ ୯୧ଜଣ ଚାଷୀ ଋଣ ନେଇଥିବା ଦର୍ଶାଇ ମିଥ୍ୟା କାଗଜପତ୍ର ପ୍ରସ୍ତୁତ କରି ୪୯ ଲକ୍ଷ ଟଙ୍କା ଆତ୍ମସାତ କରାଯାଇଥିବା ଚାଷୀଙ୍କ ଅଭିଯୋଗ ପରେ ଏ ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା। ଏହାପରେ ଆଜି ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଏଥିନେଇ ଜୟପୁରସ୍ଥିତ କୋରାପୁଟ କେନ୍ଦ୍ର ସମବାୟ ବିଭାଜନର ୪ ଜଣ ଅଧିକାରୀ ମାଲକାନଗିରିରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ଏଚ.ଆର.ଏମ.ଡି ଓ ଜି.ଏ ସେକ୍ସନର ସହକାରୀ ପରିଚାଳକ ସୁଶାନ୍ତ କୁମାର ବେହେରା, ଏ.ଓ ସେକ୍ସନର ସହକାରୀ ପରିଚାଳକ ମନୋଜ କୁମାର ସାହୁ, ଋଣ ବିଭାଗର ସହକାରୀ ପରିଚାଳକ ଜୟ ପ୍ରଦୀପ ପନାୟକ, ସଦର ବ୍ରାଞ୍ଚର ବ୍ୟାଙ୍କିଂ ଆସିଷ୍ଟାଣ୍ଟ ମନୋଜ କୁମାର ଦାସ ମାଲକାନଗିରି କେ.ସି.ସି ବ୍ୟାଙ୍କର ବିଭିନ୍ନ ଋଣ ସମ୍ବନ୍ଧୀୟ କାଗଜପତ୍ର ଯାଞ୍ଚ କରିଛନ୍ତି। ପୋଟେରୁସ୍ଥିତ ଶିଖପାଲ୍ଲୀ ଲ୍ୟାମ୍ପସର ସମସ୍ତ କାଗଜପତ୍ର ଯାଞ୍ଚ କରିବା ସହ ସମସ୍ତ ଚାଷୀଙ୍କ ପାସବୁକ ଓ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରିଛନ୍ତି। ପରେ ବଦଲି ଗ୍ରାମ ଗସ୍ତ କରି ଚାଷୀଙ୍କ ସହ ଆଲୋଚନା କରି ସେମାନଙ୍କର ବୟାନ ରେକର୍ଡ କରିଛନ୍ତି। ପରେ ବିଭିନ୍ନ ଗ୍ରାମ ଗସ୍ତ କରି ଚାଷୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।