ମହମ୍ମଦ ଜୁବେରଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଅଲ୍ଟ ନ୍ୟୁଜର ସହସଂସ୍ଥାପକ ମହମ୍ମଦ ଜୁବେରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି । ଜୁବେରଙ୍କ ବିରୋଧରେ ୟୁପିରେ ଦାୟର ହୋଇଥିବା ସବୁ ମାମଲାରେ କୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଏଥିସହିତ ୟୁପିର ସବୁ ମାମଲାକୁ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲକୁ କୋର୍ଟ ସ୍ଥାନାନ୍ତର କରି ଦେଇଛନ୍ତି । ଜଷ୍ଟିସ ଡି ବାଇ ଚନ୍ଦ୍ରଚୂଡ଼, ସୂର୍ଯ୍ୟ କାନ୍ତ ଓ ଏ ଏସ ବୋପାନ୍ନାଙ୍କ ବେଞ୍ଚ ଏହି ରାୟ ଶୁଣାଇଛନ୍ତି ।

ମହମ୍ମଦ ଜୁବେରଙ୍କୁ ଗାଜିୟାବାଦ, ମୁଜଫରନଗର, ହାଥରସ, ସୀତାପୁର, ଲଖୀମପୁର ଓ ଚନ୍ଦୋଲୀରେ ଦାୟର ହୋଇଥିବା ମାମଲାରୁ ଆଶ୍ୱସ୍ତି ମିଳିଛି । କୋର୍ଟ ୨୦ ହଜାର ଟଙ୍କା ବ୍ୟକ୍ତିଗତ ମୁଚାଳିକାରେ ଜାମିନ ପ୍ରଦାନ କରିଛନ୍ତି । ବେଲବଣ୍ଡ ଦିଲ୍ଲୀର ପଟିୟାଲା ହାଉସ କୋର୍ଟରେ ପୂରଣ କରାଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀର ତିହାଡ଼ ଜେଲରେ ଥିବା ଜୁବେର ଆଜି ସଂଧ୍ୟା ୬ଟାରେ ମୁକୁଳିବେ ।