ମୋହାଲି ବିସ୍ଫୋରଣ: କାର୍‌ରେ ଆସିଥିଲେ ୨ ସନ୍ଦିଗ୍ଧ, ୮୦ ମିଟର ଦୂରରୁ କରିଥିଲେ ଆକ୍ରମଣ!

ମୋହାଲି,ଏଜେନ୍ସି: ପଂଜାବର ମୋହାଲିରେ ସୋମବାର ବିଳମ୍ବିତ ସନ୍ଧ୍ୟାରେ ପୋଲିସ ଗୁଇନ୍ଦା ମୁଖ୍ୟାଳୟ କାର୍ଯ୍ୟାଳୟରେ ବିସ୍ଫୋରଣ ହୋଇଛି। ଏହି ଘଟଣାକୁ ନେଇ ଗଣମାଧ୍ୟମ ଆଗରେ ତଥ୍ୟ ଆସୁଛି। ସୂତ୍ର ଅନୁସାରେ ଗୋଟିଏ କାରରେ ୨ ଜଣ ସନ୍ଦିଗ୍ଧ ଘଟଣାସ୍ଥଳକୁ ଆସିଥିଲେ। ଏହି ୨ ଜଣ ବ୍ୟକ୍ତି ପାଖାପାଖି ୮୦ ମିଟର ଦୂରରୁ ରକେଟରେ ଗ୍ରେନେଡ ଆକ୍ରମଣ କରିଥିଲେ।

କୁହାଯାଉଛି ଯେ, ଏହା ଟାରଗେଟେଡ ନଥିଲା। ବରଂ ରେଣ୍ଡମ ଫାୟର କରାଯାଇଥିଲା। ଏନ୍‌ଆଇଏ ତରଫରୁ କୁହାଯାଇଛି ଯେ, ଏକ ଟିମ୍‌କୁ ପଂଜାବ ଗୁଇନ୍ଦା କାର୍ଯ୍ୟାଳୟ ପଠାଯିବ। ସେଠାରେ ଯାଞ୍ଚ କରି ରିପୋର୍ଟ ପ୍ରସ୍ତୁତ କରାଯିବ। ଘଟଣା ସଂପର୍କରେ ଗୁଇନ୍ଦା ଅଧିକାରୀମାନେ ସିସିଟିଭ ଯାଞ୍ଚ କରୁଛନ୍ତି। ସେହିପରି ମୋବାଇଲ ଫୋନ ଟାୱାର ମଧ୍ୟ ତଦନ୍ତ କରୁଛନ୍ତି। ଅନୁମାନ କରାଯାଉଛି ଯେ, ରକେଟ ଲଞ୍ଚର ଡ୍ରୋନ୍ ମାଧ୍ୟମରେ ଆସିଥାଇପାରେ। ପଂଜାବରେ କିଛି ମାସ ମଧ୍ୟରେ ଡ୍ରୋନ ଟ୍ରାପିଂ ମାମଲା ବଢ଼ିଛି। ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ମୋହାଲି ବିସ୍ଫୋରଣ ମାମଲାରେ ରିପୋର୍ଟ ମାଗିଛନ୍ତି।

ସୂଚନାଯୋଗ୍ୟ, ପଂଜାବର ମୋହାଲିସ୍ଥିତ ସୋହାନାରେ ଗୁଇନ୍ଦା ବ୍ୟୁରୋର କାର୍ଯ୍ୟାଳୟରେ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣ ସୋମବାର ସନ୍ଧ୍ୟା ସାଢ଼େ ୭ଟାରେ ହୋଇଛି, ଯେଉଁଥିର ପ୍ରଭାବ ଭୟଙ୍କର ଥିଲା। କୋଠାର କାଚଗୁଡ଼ିକ ଭାଙ୍ଗି ଯାଇଛି। ଏହି ବିସ୍ଫୋରଣର ଶବ୍ଦ ବହୁ ଦୂରକୁ ମଧ୍ୟ ଶୁଭିଛି। ସୂଚନା ମିଳିବା ପରେ ଏସଏସ୍‌ପି ଆଇଜି ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛନ୍ତି। ଏହା ବ୍ୟତୀତ ପଂଜାବରେ ହାଇ ଆଲର୍ଟ ଜାରି କରିଦିଆଯାଇଛି।