ଶ୍ରୀଲଙ୍କାରେ ଲଙ୍କାକାଣ୍ଡ: ରାଜପକ୍ଷେଙ୍କ ଘର ଜାଳିଦେଲେ ପ୍ରର୍ଶନକାରୀ, ଆତ୍ମହତ୍ୟା କଲେ ସାଂସଦ

କଲମ୍ବୋ,ଏଜେନ୍ସି: ଘୋର ଆର୍ଥିକ ସଂକଟ ଦେଇ ଗତିକରୁଥିବା ଶ୍ରୀଲଙ୍କାରେ ସୋମବାର ଲଙ୍କାକାଣ୍ଡ ଦେଖିବାକୁ ମିଳିଛି। ପ୍ରଦର୍ଶନକାରୀମାନେ ନିଜ ପଦରୁ ଇସ୍ତଫା ଦେଇସାରିଥିବା ଶ୍ରୀଲଙ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ଘରେ ଅଗ୍ନି ସଂଯୋଗ କରିଦେଇଛନ୍ତି। ମହିନ୍ଦା ରାଜପକ୍ଷେଙ୍କ ଇସ୍ତଫା ପରେ ଶ୍ରୀଲଙ୍କାର ଅବସ୍ଥା ଆହୁରି ଅଧିକ ଦୟନୀୟ ହୋଇଯାଇଛି।

ରାଜପକ୍ଷେଙ୍କ ଉତ୍ତର-ପଶ୍ଚିମ ରାଜ୍ୟର କୁରୁନେଗଲା ସହରରେ ଥିବା ନିବାସରେ ସୋମବାର ନିଆଁ ଲାଗିଛି। ଏହି ଘଟଣା ମହିନ୍ଦାଙ୍କ ରାଷ୍ଟ୍ରପତିଙ୍କୁ ନିଜର ଇସ୍ତଫା ଦେବା ପରେ ସାମ୍ନାକୁ ଆସିଛି। ଏହା ପୂର୍ବରୁ ସରକାର ବିରୋଧୀ ପ୍ରଦର୍ଶନକାରୀମାନେ ଶ୍ରୀଲଙ୍କାର ମୋରାତୁବା ମେୟର ସମନ ଲାଲ ଫର୍ଣ୍ଣାଡୋ ଓ ସାଂସଦ ସନଥ ନିଶାନ୍ତ, ରମେଶ ପଥିରାନା, ମହିପାଳ ହେରାଥ, ଥିସା କୁଟ୍ଟିୟାରାଚୀ ଓ ନିମଲ ଲାଞ୍ଜା ସରକାରୀ କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଥିଲେ। ଇଣ୍ଟର-ୟୁନିଭରର୍ସିଟି ଷ୍ଟୁଡେଣ୍ଟ ଫେଡରେଶନ ସହିତ ବଡ଼ ସଂଖ୍ୟାରେ ପ୍ରଦର୍ଶନକାରୀ ରାଜରାସ୍ତାକୁ ଓହ୍ଲାଇଥିଲେ ଏବଂ ପୋଦୁଜାନା ପେରାମୁନାର ସାଂସଦଙ୍କ ଉପରେ ଆକ୍ରମଣ କରିଥିଲେ।

ଏହି ହିଂସାରେ କ୍ଷମତାସୀନ ପାର୍ଟିର ଜଣେ ସାଂସଦଙ୍କର ମୃତ୍ୟୁ ହୋଇଛି। ରିପୋର୍ଟ ଅନୁସାରେ ସାଂସଦ ପ୍ରଥମେ ପ୍ରଦର୍ଶନକାରୀଙ୍କ ଉପରେ ବନ୍ଧୁକରୁ ଗୁଳି ଚଳାଇଥିଲେ। ପରେ ସେ ଲୋକଙ୍କ ଭିଡକୁ ଭୟକରି ଆତ୍ମହତ୍ୟା କରିଦେଲେ। ସାଂସଦଙ୍କ ମୃତ୍ୟୁ ପରେ ତଦନ୍ତ କରୁଥିବା ପୋଲିସ କହିଛି ଯେ, ନିଟ୍ଟବୁୱା ସହର ନିକଟ ପ୍ରଦର୍ଶନକାରୀମାନେ ସାଂସଦଙ୍କ ଅମରକୀର୍ତ୍ତି ଅଥୁକୋରଳାର କାରକୁ ଘେରି ଯାଇଥିଲେ।

ଈୟରେ ସାଂସଦ ଅମରକୀର୍ତ୍ତି ପ୍ରଦର୍ଶନକାରୀଙ୍କ ଉପରକୁ ବନ୍ଧୁକରୁ ଗୁଳି କରିଥିଲେ। ସାଂସଦଙ୍କର ଏହି ଫାଇରିଂରେ ୨ ଜଣ ଗୁରୁତର ହୋଇଥିଲେ। କିନ୍ତୁ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ଭିଡରେ ଥିବା ପ୍ରଦର୍ଶନକାରୀମାନେ ସାଂସଦଙ୍କୁ ଘେରିଯାଇଥିଲେ। ଶେଷରେ ସାଂସନ ଅନ୍ୟ ଉପାୟ ନପାଇ ଆତ୍ମହତ୍ୟା କରିଥିଲେ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଶ୍ରୀଲଙ୍କା ପୋଦୁଜାନା ପେରାମୁନାର କିଛି କାର୍ଯ୍ୟାଳୟରେ ନିଆଁ ଲଗାଇ ଦିଆଯାଇଛି। ଏହା ବ୍ୟତୀତ ଭିକେତିୟା ପ୍ରଦେଶୀୟ ସଭାର ସଭାପତିଙ୍କ ନିବାସରେ ୨ ଜଣଙ୍କ ଗୁଳି କରିଦିଆଯାଇଛି। ଅନ୍ୟ ୫ ଜଣ ଆହତ ହୋଇଛନ୍ତି। ପୂରା ଦେଶରେ କର୍ଫ୍ୟୁ ଲାଗୁ ହୋଇଛି। ସେନାକୁ ସଡ଼କରେ ମୁତୟନ କରାଯାଇଛି।