ଫାଇନାଲ ହାରିବା ପରେ ଡ୍ରେସିଂ ରୁମ୍ ପହଞ୍ଚିଲେ ମୋଦୀ

ଗୁଜରାଟ: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା କ୍ରିକେଟ ୱାର୍ଲ୍ଡକପର ଫାଇନାଲ ମୁକାବିଲାରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଭାରତକୁ ଅଷ୍ଟ୍ରେଲିଆ ୬ ୱିକେଟରେ ହରାଇ ୧୪୦ କୋଟି ଭାରତୀୟଙ୍କ ସ୍ୱପ୍ନକୁ ଭାଙ୍ଗି ଦେଇଛି । ଭାରତୀୟ ବୋଲର ପୁରା ବିଶ୍ୱକପରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଗତକାଲି କୌଣସି ଚମତ୍କାର ଦେଖିବାକୁ ମିଳିନଥିଲା । ପ୍ରଥମ ୧୦ ଓଭରରେ ମହମ୍ମଦ ସାମି ଓ ଜସପ୍ରୀତ ବୁମରାହ ଭଲ ବୋଲିଂ କରି ୩ ୱିକେଟ ନେଇଥିଲେ ମଧ୍ୟ ଟ୍ରେଭିସ ହେଡ ଭାରତଠାରୁ ବିଜୟକୁ ଛଡ଼ାଇ ନେଇଥିଲେ ।

ମ୍ୟାଚ ହାରିବା ପରେ ସବୁ ଖେଳାଳି ଭାବବିହ୍ୱଳ ହୋଇଯାଇଥିଲେ । ପଡ଼ିଆରେ ପରସ୍ପରର ମନୋବଳ ବଢ଼ାଉଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ସେହିପରି ମ୍ୟାଚ ଦେଖିବାକୁ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡ୍ରେସିଂ ରୁମ୍ ପହଞ୍ଚି ଖେଳାଳିଙ୍କ ମନୋବଳ ସୁଦୃଢ଼ କରିଥିଲେ । ଭାରତୀୟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଓ ବୋଲର ମହମ୍ମଦ ସାମି ସୋସିଆଲ ମିଡିଆ ସାଇଟ ଏକ୍ସରେ ପୋଷ୍ଟ କରି ଏସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି ।