କରୋନା ପରିସ୍ଥିତି ନେଇ ୭ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧିକ କରୋନା ସଂକ୍ରମଣ ହୋଇଥିବା ୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ସହ ବୁଧବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ପରିସ୍ଥିତିର ସମୀକ୍ଷା କରିବେ। ଏହି ବୈଠକରେ ସେହିସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କରୋନା ସ୍ଥିତି ଏବଂ ଏହାର ମୁକାବିଲା ପାଇଁ ପ୍ରସ୍ତୁତି ତଥା ପରିଚାଳନାର ସମୀକ୍ଷା କରାଯିବ। ସେହି ୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଦେଶର ମୋଟ୍ ସଂକ୍ରମଣର ୬୩ ପ୍ରତିଶତରୁ ଅଧିକ ରୋଗୀ ରହିଛନ୍ତି।

ସେହି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ମଧ୍ୟରେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ତାମିଲନାଡୁ, ଦିଲ୍ଲୀ ଓ ପଞ୍ଜାବ ରହିଛି। ସେଗୁଡିକରେ ମଧ୍ୟ ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ମଧ୍ୟରୁ ୬୫.୫ ପ୍ରତିଶତ ରୋଗୀ ରହିଛନ୍ତି ଓ ମୋଟ୍ ମୃତ ଲୋକଙ୍କ ମଧ୍ୟରୁ ୭୭ ପ୍ରତିଶତ ରହିଛନ୍ତି। ଏହାଛଡ଼ା ପଞ୍ଜାବ ଓ ଦିଲ୍ଳୀରେ ନୂଆକରି ସଂକ୍ରମିତ ହେଉଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଜଣାପଡିଛି। ମହାରାଷ୍ଟ୍ର, ପଞ୍ଜାବ ଓ ଦିଲ୍ଲୀରେ ମୃତ୍ୟୁହାର ଅଧିକ ରହିବା ସହ ଏହା ୨ ପ୍ରତିଶତକୁ ଅତିକ୍ରମ କରିଛି। ପଞ୍ଜାବ ଓ ଉତ୍ତରପ୍ରଦେଶ ବ୍ୟତୀତ ସେଗୁଡିକର ସଂକ୍ରମିତ ହାର ମଧ୍ୟ ଜାତୀୟ ସଂକ୍ରମିତ ହାର ଠାରୁ ଉପରେ ରହିଛି। କେନ୍ଦ୍ର ସରକାର କରୋନା ସଂକ୍ରମଣର ମୁକାବିଲାରେ ରାଜ୍ୟଗୁଡିକ ସହ ମିଶି କାର୍ଯ୍ୟ କରୁଛନ୍ତି। ରାଜ୍ୟମାନେ ସେମାନଙ୍କର ସ୍ୱାସ୍ଥ୍ୟସେବା ଓ ଚିକିତ୍ସା ମୌଳିକ ଢାଞ୍ଚାରେ ଉନ୍ନତି ଆଣିବାରେ କେନ୍ଦ୍ର ସହାୟତା କରୁଛନ୍ତି।