ହସ୍ତିନାପୁରରେ ଦେଶର ବୃହତ୍ତମ ଫିଲ୍ମସିଟି!

ଲକ୍ଷ୍ନୌ,ଏଜେନ୍ସି : ଯମୁନା ଏକ୍ସପ୍ରେସ୍‌ୱେ ନିକଟବର୍ତ୍ତୀ ହସ୍ତିନାପୁରରେ ଦେଶର ବୃହତ୍ତମ ଫିଲ୍ମସିଟି ନିର୍ମାଣ କରାଯିବ ବୋଲି ମଙ୍ଗଳବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି। ଚଳଚ୍ଚିତ୍ର ଦୁନିଆର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ପ୍ରସ୍ତାବିତ ପ୍ରକଳ୍ପ ସମ୍ପର୍କରେ ବ୍ୟାପକ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କ ସୂଚନା ମୁତାବକ ଯମୁନା ଏକ୍ସପ୍ରେସ୍‌ୱେ ଇଣ୍ଡଷ୍ଟ୍ରିଆଲ୍ ଡେଭେଲପମେଣ୍ଟ ଅଥରିଟି ଉକ୍ତ ପ୍ରକଳ୍ପକୁ ନେଇ ବେଶ ଉତ୍ସାହିତ ଅଛନ୍ତି। ପ୍ରସ୍ତାବିତ ଫିଲ୍ମସିଟି ଦେଶ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି ଉତ୍ତରପ୍ରଦେଶ ଶିଳ୍ପ ବିଭାଗ ଦୃଢ଼ତାର ସହ କହିଛି। ଗଙ୍ଗା ଓ ଯମୁନା ଅବବାହିକା ଅନ୍ତର୍ଗତ ହସ୍ତିନାପୁରର ପୌରାଣିକ ପରିଚୟ ସମ୍ପର୍କରେ ସମସ୍ତେ ଜାଣନ୍ତି। ଏବେ ଦିଲ୍ଲୀ-ଆଗ୍ରାକୁ ସଂଯୋଗ କରୁଥିବା ଯମୁନା ଏକ୍ସପ୍ରେସର ଦୁଇପାଶ୍ୱର୍ ଆଧୁନିକ ଭାରତରେ ପ୍ରସିଦ୍ଧି ଅର୍ଜନ କରିବ।

ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଧାରାବାହିକ ଭାବେ ଟ୍ୱିଟ୍ କରି ଜଣାଇଛନ୍ତି, ଶକୁନ୍ତଳାଙ୍କ ପୁଅ ଭରତଙ୍କ ନାମାନୁସାରେ ଏ ଦେଶର ନାମ ଭାରତ ରଖାଯାଇଛି। ଭରତଙ୍କ ହସ୍ତିନାପୁର ଏବେ ଫିଲ୍ମସିଟି ପାଇଁ ବିଶ୍ୱବିଖ୍ୟାତ ହେବ। ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ରୂପେ ଉତ୍ତରପ୍ରଦେଶ ପ୍ରସିଦ୍ଧ। ପୁରାଣ ଅନୁସାରେ ଉତ୍ତରପ୍ରଦେଶ ହେଉଛି ପ୍ରଭୁ ଶ୍ରୀରାମ ଓ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମପୀଠ। ଭାରତର ସ୍ୱାଧୀନତା ସଂଗ୍ରାମରେ ଉତ୍ତରପ୍ରଦେଶ ଅଗ୍ରଣୀ ଭୂମିକା ନେଇଥିଲା। ଭାରତର ଜନବହୁଳ ରାଜ୍ୟ ଭାବେ ଉତ୍ତରପ୍ରଦେଶ ଜଣାଶୁଣା। ଏହାକୁ ଘେରି ରହିଛନ୍ତି ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ, ହରିଆଣା, ଉତ୍ତରାଖଣ୍ଡ ଓ ଦିଲ୍ଲୀ। ତା’ ସହିତ ଉତ୍ତରପ୍ରଦେଶ ସହ ନେପାଳର ସୀମା ସମ୍ପର୍କ ରହିଛି। ତେଣୁ ଏଭଳି ଏକ ରାଜ୍ୟରେ ଫିଲ୍ମସିଟି ନିର୍ମାଣ କରାଯିବାର ଯଥେଷ୍ଟ ଗୁରୁତ୍ୱ ଅଛି।