ଗୁଜୁରାଟ ଏମ୍ସର ଶିଳାନ୍ୟାସ କଲେ ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନଫରେନ୍ସିଂ ଜରିଆରେ ଗୁଜୁରାଟର ରାଜକୋଟରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ)ର ମୂଳଦୁଆ ପକାଇଛନ୍ତି। ଏହି ଅବସରରେ ମୋଦୀ କହିଛନ୍ତି ଖୁବ୍‍ଶୀଘ୍ର ଦେଶରେ କରୋନା ଭ୍ୟାକ୍ସିନକୁ ମଞ୍ଜରୀ ମିଳିବା ସହ ବହୁ ପରିମାଣରେ ଟିକାକରଣ ଅଭିଯାନ ମଧ୍ୟ ଆରମ୍ଭ କରାଯିବ। ଏହି ଶିଳାନ୍ୟାସ ଦ୍ୱାରା ଦେଶ ଇନଫ୍ରାଷ୍ଟ୍ରକଚର ମଜଭୁତ ଦିଗରେ ଆଉ ଏକ ପାଦ ଆଗକୁ ଯାଇଛି। ଏହି ଅନୁଷ୍ଠାନ ନିର୍ମାଣ ପାଇଁ ୨୦୧ ଏକରରୁ ଅଧିକ ସ୍ଥାନ ଆବଣ୍ଟନ କରାଯାଇଥିବା ବେଳେ ଏନେଇ ୧,୧୯୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି।

ଏହି ଅନୁଷ୍ଠାନର ନିର୍ମାଣ ୨୦୨୨ ମଧ୍ୟଭାଗରେ ଶେଷ ହେବ ବୋଲି ଆଶା କରାଯାଉଛି। ଡାକ୍ତରଖାନାରେ ୭୫୦ ଶଯ୍ୟା ରହିବ, ସେଥିମଧ୍ୟରୁ ୩୦ ଟି ଶଯ୍ୟା ଆୟୁଷ ବ୍ଲକରେ ରହିବ। ଏହାକୁ ସିଧାସଳଖ ରାଜକୋଟ ଏୟାରପୋର୍ଟ ସହ ସଂଯୁକ୍ତ କରାଯିବ। ଏଠାକୁ ଚିକିତ୍ସା ପାଇଁ ଆସୁଥିବା ଲୋକଙ୍କ ସହ ଥିବା ପରିବାର ସଦସ୍ୟଙ୍କ ପାଇଁ ଅଲଗା ଧର୍ମଶାଳା ମଧ୍ୟ ନିର୍ମାଣ କରାଯାଉଛି। ସେହିପରି ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଅଲଗା କ୍ୱାଟର୍ସ ନିର୍ମାଣ କରାଯାଉଛି। ଏହି ଅବସରରେ ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମଧ୍ୟ ଉପସ୍ଥିତ ଥିଲେ।

ଏହି ପରିପ୍ରେକ୍ଷୀରେ କରୋନା ଟିକାକୁ ନେଇ ମୋଦୀ କହିଛନ୍ତି ନୂଆବର୍ଷ ୨୦୨୧ ଆରୋଗ୍ୟର ଆଶା ନେଇ ଆସୁଛି। ଦେଶରେ ଭ୍ୟାକ୍ସିନକୁ ନେଇ ସବୁ ପ୍ରକାର ଜରୁରୀ ପ୍ରସ୍ତୁତି ଚାଲିଛି। ତେବେ କରୋନା ଟିକା ଆସିଲେ ମଧ୍ୟ କଟକଣା ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି।