କେରଳ ବିଧାନସଭାରେ କୃଷି ଆଇନ ବିରୋଧରେ ସଂକଳ୍ପ ପ୍ରସ୍ତାବ ଆଗତ

ଥିରୁଅନନ୍ତପୁରମ୍‌,ଏଜେନ୍ସି: କେନ୍ଦ୍ରର କୃଷି ଆଇନ ବିରୋଧରେ ସଂକଳ୍ପ ପ୍ରସ୍ତାବ ଆଣିଲେ କେରଳ ସରକାର। ରାଜ୍ୟ ବିଧାନସଭାର ସ୍ୱତନ୍ତ୍ର ଦିନିକିଆ ଅଧିବେଶନରେ ଏହି ପ୍ରସ୍ତାବ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ।

କେନ୍ଦ୍ର ସରକାରଙ୍କ କୃଷି ସମ୍ବନ୍ଧୀୟ ନୂତନ ତିନୋଟି ଆଇନ ବିରୋଧରେ ଏହି ସଂକଳ୍ପ ଅଣାଯାଇଛି। ଚାଷୀଙ୍କ ବିରୋଧରେ ଏହି ତିନୋଟି ଆଇନ ହୋଇଥିବାରୁ ଏହା ବିରୋଧରେ କେରଳ ସରକାର ଏପରି କରିଥିବା ଦର୍ଶାଇଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ କହିଛନ୍ତି କି ‘ଯଦି ଚାଷୀମାନେ ଏପରି ଆନ୍ଦୋଳନ କରନ୍ତି ତେବେ କେରଳ ଅଧିକ ପ୍ରଭାବିତ ହେବ। ଯଦି ଅନ୍ୟ ରାଜ୍ୟରୁ ଖାଦ୍ୟ କେରଳକୁ ରପ୍ତାନି ନହୁଏ ତେବେ ରାଜ୍ୟବାସୀ ଭୋକିଲା ରହିବାରେ ସନ୍ଦେହ ନାହିଁ।’

ଏହି ଆନ୍ଦୋଳନ ପାଇଁ କେରଳ ଅଧିକ ମାତ୍ରାରେ ପ୍ରଭାବିତ ହୋଇଥିବା ସେ କହିଛନ୍ତି। ସୂଚନାଥାଉକି, କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଚାଷୀମାନେ ଆନ୍ଦୋଳନରେ ବସିଛନ୍ତି। ଆଜିକୁ ୩୫ ଦିନ ଧରି ଆନ୍ଦୋଳନ ଚାଲିଛି।