ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ରରେ ଆଜି ନରେନ୍ଦ୍ର ମୋଦୀଙ୍କ ସରକାର ୭ମ ବର୍ଷରେ ପଦାର୍ପଣ କରିଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ସମଗ୍ର ଦେଶରେ ଆଜି ବିଜେପି କର୍ମୀ ମାନେ ପାଳୁଛନ୍ତି ସେବା ଦିବସ। ଏହି ଅବସରରେ ବିଜେପି ସଭାପତି ଜେପି ନାଡ୍ଡା ଦଳୀୟ କର୍ମୀଙ୍କୁ ଭର୍ଚୁଆଲ୍ ମାଧ୍ୟମରେ ସମ୍ବୋଧନ କରି କହିଛନ୍ତି ଯେ କରୋନା ଭାଇରସ୍ ମହାମାରୀ ମଧ୍ୟରେ ତାଙ୍କ ଦଳର କର୍ମୀ ଏବଂ ନେତାମାନେ ରିଲିଫ୍ କାର୍ଯ୍ୟ କରୁଥିବାବେଳେ ବିରୋଧୀ ଦଳ ସଂଗରୋଧରେ ଅଛନ୍ତି।
ଏଥିସହିତ ୭ମ ବର୍ଷ ପୂର୍ତ୍ତି ହୋଇଥିବାରୁ କୋଭିଡ-୧୯ ପ୍ରୋଟୋକଲ ଏବଂ ଲକଡାଉନ୍ ନିର୍ଦ୍ଦେଶାବଳୀ ଅନୁସରଣ କରି ସମସ୍ତ ଦଳର ସାଂସଦ, ମନ୍ତ୍ରୀ ଏବଂ ବିଧାୟକମାନେ ଅତି କମରେ ଦୁଇଟି ଗାଁରେ ଲୋକଙ୍କୁ ସେବା କରିବେ ବୋଲି କହିଛନ୍ତି। ଏଥିସହ ମହାମାରୀ ସମୟରେ ଲୋକଙ୍କ ସହ ଛିଡା ହୋଇଥିବା ବିଜେପି କର୍ମୀମାନେ ବିରୋଧୀ ଦଳର ନେତାଙ୍କ ପରି ନୁହଁନ୍ତି, ଯେଉଁମାନେ କେବଳ ଭର୍ଚୁଆଲ୍ ସାମ୍ବାଦିକ ସମ୍ମିଳନୀରେ ଦୃଶ୍ୟମାନ ହେଉଛନ୍ତି ବୋଲି ସେ କହିଛନ୍ତି।
ବିରୋଧୀ ଦଳକୁ ଟାର୍ଗେଟ କରି ନାଡା କହିଛନ୍ତି ଯେ ଯେଉଁମାନେ ବର୍ତ୍ତମାନ କୋଭିଡ-୧୯ ଟିକା ବିଷୟରେ ଗର୍ଜନ କରୁଛନ୍ତି, ସେମାନେ ହିଁ ଏହି ଟିକା ଉପରେ ସନ୍ଦେହ ସୃଷ୍ଟି କରିଛନ୍ତି। ବିଜେପି କର୍ମୀମାନେ କେନ୍ଦ୍ରରେ ସରକାରର ୭ମ ବାର୍ଷିକୀକୁ “ସେବା ଦିବସ” ଭାବରେ ପାଳନ କରୁଛନ୍ତି। କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ବିଜେପି କେନ୍ଦ୍ରରେ ସରକାରଙ୍କ ସପ୍ତମ ବାର୍ଷିକୀ ପାଳନ ନକରିବାକୁ ନିଷ୍ପତ୍ତି ନେଇଛି, ବରଂ ସାରା ଦେଶରେ ରିଲିଫ୍ କାର୍ଯ୍ୟ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି।