ରାଜ୍ୟରେ କମୁଛି ସଂକ୍ରମଣ, ଦୋକାନ ବଜାରରେ ଗହଳି ନକରିବାକୁ ଅନୁରୋଧି କଲେ ଏସିଏସ୍

ଭୁବନେଶ୍ଵର,ଏନ୍ଏନ୍ଏସ୍: ରାଜ୍ୟର କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ ପ୍ରଦୀପ୍ତ ମହାପାତ୍ର ଆଜି ସରକାରଙ୍କ ଦୈନିକ କୋଭିଡ ପରାମର୍ଶ ସମୟରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ ମେ’ ୨୨ରେ ରାଜ୍ୟରେ ସର୍ବାଧିକ ୧୨୮୫୨ ପଜିଟିଭ ଚିହ୍ନଟ ହୋଇଥିଲେ ଏବଂ ଏହା ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନାର ସର୍ବାଧିକ ସଂକ୍ରମଣ ଚିହ୍ନଟ ହୋଇଛି। ବର୍ତ୍ତମାନ ରାଜ୍ୟରେ ପଜିଟିଭି ହାର ୧୪% କୁ ଖସି ଆସିଛି ଏବଂ ଆମେ ଆଶା କରୁଛୁ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ପଜିଟିଭି ହାର ଆହୁରି ହ୍ରାସ ପାଇବ।

ତେବେ ରାଜ୍ୟରେ ଆଗକୁ ପର୍ବ ପର୍ବାଣୀ ଋତୁ ଥିବାରୁ ସେ ଲୋକମାନଙ୍କୁ ଅଧିକ ସଚେତନ ରହିବାକୁ ଅନୁରୋଧ କରିଛନ୍ତି। ଏହି ସମୟରେ ଅଯଥା ବଜାରରେ ଗହଳି ନକରି ତୁରନ୍ତ କାମସାରି ଘରେ ରହିବାକୁ ମଧ୍ୟ ସେ କହିଛନ୍ତି। ପଡ଼ୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡରେ ସଂକ୍ରମଣ କମୁଥିବାରୁ ଛତିଶଗଡ଼ ଓ ଝାଡ଼ଖଣ୍ଡକୁ ଲାଗିଥିବା ଓଡ଼ିଶାର ଜିଲ୍ଲାମାନଙ୍କରେ ମଧ୍ୟ ସଂକ୍ରମଣ କମୁଛି। ବାତ୍ୟା ପାଇଁ ଟେଷ୍ଟ କମିବାରୁ ପଜିଟିଭ ସଂଖ୍ୟା କମିଥିଲା, ମାତ୍ର ପରେ ଟେଷ୍ଟ ବଢ଼ିଥିଲେ ବି ସଂକ୍ରମଣ କମିଛି। ଆଜି ରାଜ୍ୟରେ ୯୫୪୧ ପଜିଟିଭ ଚିହ୍ନିତ ହୋଇଛନ୍ତି। ଏହା ସହ ସେ କହିଛନ୍ତି ଆନ୍ଧ୍ର ଓ ପଶ୍ଚିମବଙ୍ଗରେ ସଂକ୍ରମଣ କମୁଥିଲେ ବି ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ସଂକ୍ରମଣ ଓଡ଼ିଶା ପାଇଁ ବିପଦ। ଏନେଇ ଆନ୍ଧ୍ର, ପଶ୍ଚିମବଙ୍ଗ ସୀମାନ୍ତ ସିଲ କରାଯାଇଛି।

ତେବେ ଆଗାମୀ ଦୁଇ ସପ୍ତାହ ଭିତରେ ରାଜ୍ୟରେ ସଂକ୍ରମଣ ହାର କମିବାର ଆଶା କରାଯାଉଛି ବୋଲି ସେ କହିଛନ୍ତି। ରାଜ୍ୟରେ ମୋଟ ୨୫ଟି ବ୍ଲାକ ଫଙ୍ଗସ କେସ୍ ଚିହ୍ନଟ ହୋଇଛି। ତେବେ ସବୁଠୁ ବଡ କଥା ହେଉଛି ରାଜ୍ୟରେ ଆକ୍ଟିଭକେସର ପ୍ରାୟ ୮୬ ପ୍ରତିଶତ ହୋମ ଆଇସୋଲେସନରେ ଅଛନ୍ତି।