ବାଇକରେ ଆସିଲେ ଯୁବତୀଙ୍କ ଠାରୁ ଝାମ୍ପିନେଲେ ମୋବାଇଲ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ସଟଡ଼ାଉନରେ ମାତିଲେ ଲୁଟେରା। ସକାଳୁ ସକାଳୁ ବାଇକରେ ଆସି ରବି ଟକିଜ ଛକରୁ ଯୁବତୀଙ୍କ ଠାରୁ ମୋବାଇଲ ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ। ବାଇକରେ ୩ ଜଣ ଯୁବକ ଥିଲେ। ଯୁବତୀ ଜଣକ ଏନେଇ ବଡଗଡ ଥାନାରେ ଏତଲା ଦେଇଛନ୍ତି। ଯୁବତୀ ଜଣଙ୍କ ଏକ ମଲରେ କାମ କରନ୍ତି। ସେ କୌଣସି କାମରେ ରାସ୍ତାରେ ଯାଉଥିବେବେଳେ ଦୁର୍ବୃତ୍ତମାନେ ଏପରି କରିଛନ୍ତି।

ସୂଚନା ଥାଉକି, ଗତ କିଛିଦିନ ତଳେ ନୟାପଲ୍ଲୀ ଅଞ୍ଚଳରେ ମର୍ଣ୍ଣିଂଓ୍ୱାକରେ ଯାଉଥିବା ମହିଳାଙ୍କୁ ଆକ୍ରମଣ କରିବା ସହ ତାଙ୍କ ବେକରୁ ସୁନା ଚେନ୍ ଛଣ୍ଡାଇ ନେଇଥିଲେ। ଏଠାରେ ପ୍ରଶ୍ନ ଉଠୁଛି ଯେ, ପୁଲିସ କଡା ପ୍ରହରା ଥାଇ ରାଜଧାନୀରେ ଲୁଟପାଟ୍ ବଢ଼ିବାରେ ଲାଗିଛି କିପରି।