ଚର୍ଚ୍ଚାରେ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ନିଜ ଦକ୍ଷତା ଉପରେ ନିଜେ ଲଗାଇଲେ ପ୍ରଶ୍ନବାଚୀ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ନିଜ ବେଲଗାମ କଥାଭାଷା ପାଇଁ ଜଣାଶୁଣା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଆଜି ପୁଣିଥରେ ନିଜ କୁହାଳିଆ ପ୍ରବୃତିକୁ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ଦେବଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁଆଡ଼େ ତାଙ୍କୁ ବିଜେଡି ପାର୍ଟି କାର୍ଯ୍ୟାଳୟ ଭଳି ଅନୁଭବ ହୋଇଥିବା କହିବା ସହ ଜିଲ୍ଲାରେ କ୍ଷମତାସୀନ ବିଜେପି ବିଧାୟକଙ୍କୁ ଜିଲ୍ଲା ପ୍ରଶାସନ କୌଣସି କାର୍ଯ୍ୟକ୍ରମରେ ସାମିଲ କରୁନଥିବାରୁ ଏଠାରେ ଗଣତନ୍ତ୍ରରେ ହତ୍ୟା ହେଉଥିବା ପ୍ରକାଶ କରିଛନ୍ତି । ସେହିପରି ଦେବଗଡ଼ ଜିଲ୍ଲା ଗସ୍ତ ସମୟରେ ତାଙ୍କ ବିଭାଗର ସମୀକ୍ଷା ବୈଠକ ପାଇଁ ପୂର୍ବରୁ ସୂଚନା ଦେଇଥିଲେ ମଧ୍ୟ ଆଜି ଜିଲ୍ଲାପାଳ କୁଆଡ଼େ ତାଙ୍କ ସ୍ୱାଗତ କରିନଥିଲେ । ଜିଲ୍ଲାପାଳ ନିଜ ଚ୍ୟାମ୍ବରରେ ରାଜା ଭଳି ବସିଥିଲେ, ଜଣେ ପିଡି ମାନ୍ୟବର ମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଚ୍ୟାମ୍ବରକୁ ଠାକୁର ଦର୍ଶନ କରାଇବା ଭଳି ନେଇ ଜିଲ୍ଲାପାଳଙ୍କୁ ସାକ୍ଷାତ କରାଇଥିଲେ । ଏହାସହ ସମୀକ୍ଷା ବୈଠକକୁ ଜିଲ୍ଲାପାଳ ଆସିନଥିବା ଗଣମାଧ୍ୟମ ଆଗରେ ଅଭିଯୋଗ କରିଥିଲେ । ଶ୍ରୀ ଟୁଡୁଙ୍କ ଏଭଳି ଅଭିଯୋଗ ଜଣେ କେନ୍ଦ୍ରମନ୍ତ୍ରୀ ଏବଂ ତାଙ୍କ ଶାସକ ଦଳର ଜଣେ ବିଧାୟକଙ୍କ ଦକ୍ଷତା ନେଇ ସେ ନିଜେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ।