ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ବନ୍ୟା ପ୍ରଭାବିତ ୧୯ ଖଣ୍ଡ ମୌଜା ଅଞ୍ଚଳକୁ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ପରିଦର୍ଶନ କରି ବିଭିନ୍ନ ସମସ୍ୟା ଉପରେ ଲୋକଙ୍କ ସହିତ ଆଲୋଚନା କରିଛନ୍ତି। ଏହାସହ ସମସ୍ତ କ୍ଷୟକ୍ଷତିର ଆକଳନ କରି ଶୀଘ୍ର ଆବଶ୍ୟକ କ୍ଷତିପୂରଣ ଯୋଗାଇ ଦେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଶ୍ରୀ ମହାନ୍ତି ଚାରପାଲି ପଞ୍ଚାୟତର ଧୂଲୁଣ୍ଡାଠାରେ ଚାଷୀମାନଙ୍କୁ କିଚେନ ଗାର୍ଡେନ୍ ପାଇଁ କୃଷି ଉପକରଣ, ରେମତା ପଞ୍ଚାୟତ ଚିଖିଲି ଗ୍ରାମରେ ଚାଷୀଙ୍କୁ କୃଷି ଉଦ୍ୟାନ ଉପକରଣ ପ୍ରଦାନ ଓ ମୁହୁଦି ଗ୍ରାମର ବନ୍ୟା ପ୍ରଭାବିତଙ୍କୁ ତାରପୋଲିନ ପ୍ରଦାନ କରିଛନ୍ତି।
ଏହାସହ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ଚିଖିଲି ଗ୍ରାମଠାରେ ୩ ଲକ୍ଷ ବ୍ୟୟ ଅଟକଳରେ ହେବାକୁ ଥିବା ଆଦିଶକ୍ତି କୀର୍ତ୍ତନ ମଣ୍ଡପ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ, ପଲସଦା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୫ ଲକ୍ଷ ୭୬ ହଜାର ବ୍ୟୟ ଅଟକଳରେ ହେବାକୁ ଥିବା ୬ ଶଯ୍ୟା ବିଶିଷ୍ଟ ୱାର୍ଡ଼ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ଅବସରରେ ଲଖନପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ପଧାନ, ଲଖନପୁର ତହସିଲଦାର ବିଶ୍ୱକେଶନ ପାଣ୍ଡେ, ବିଡିଓ ସଞ୍ଜୀବ ପଟେଲ, ଜିଲ୍ଲା କୃଷି ଅଧିକାରୀ ବଳବୀର ସିଂହ, ଜିଲ୍ଲା ପ୍ରାଣୀ ଉପଚିକିତ୍ସକ ପ୍ରଦୀପ ସେଠ, ଜିଲ୍ଲା ଉଦ୍ୟାନ ସହକାରୀ ନିର୍ଦ୍ଦେଶକ ରାଜକୁମାର ସେଠୀ, ବିଜେଡିର ବରିଷ୍ଠ ସଦସ୍ୟ ବିଶ୍ୱନାଥ ନାୟକ, ପ୍ରଦୀପ ବିଶ୍ୱାଳ, ରବିରତ୍ନ ପଧାନ, ସଞ୍ଜିତ ପଧାନ, ପ୍ରମୋଦ ଗଡ଼ତିଆ, ଶେଖର ବେହେରା, ସୁରେନ୍ଦ୍ର ବେହେରା, ନରେନ୍ଦ୍ର ଗଡ଼ତିଆ ପ୍ରମୁଖ ଉପସ୍ଥିତ ଥିଲେ।