ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର ୭୦ ପ୍ରତିଶତ କରୋନା ଆକ୍ରାନ୍ତ ହୋମ ଆଇସୋଲେସନରେ ଅଛନ୍ତି। ଏନେଇ ଏନଏଚଏମ୍ ନିର୍ଦ୍ଦେଶିକା ଶାଳିିନୀ ପଣ୍ଡିତ ସୂଚନା ପ୍ରଦାନ କରିଛନ୍ତି। ଓଡ଼ିଶାରେ କରୋନା ମୃତ୍ୟୁହାର ସାରା ଦେଶରେ କମ୍ ରହିଛି। ହୋମ୍ ଆଇସୋଲେସନରେ ରହୁଥିବା ଅଧିକାଂଶ ଆକ୍ରାନ୍ତ ସୁସ୍ଥ ହେଉଛନ୍ତି ବୋଲି ଶ୍ରୀମତୀ ପଣ୍ଡିତ କହିଛନ୍ତି।
ଅନ୍ୟପଟେ ହୋମ ଆଇସୋଲେସନକୁ ନେଇ ପ୍ରଫେସର ଅମରେନ୍ଦ୍ର ମହାନ୍ତି ବିଶେଷ ସୂଚନା ଦେଇଛନ୍ତି। ଲକ୍ଷଣ ନଥିବା ଓ ସ୍ୱଳ୍ପ ଲକ୍ଷଣ ଥିବା ଲୋକେ ଘରେ ରହି ଚିକିତ୍ସିତ ହୋଇପାରିବେ। ହୋମ୍ ଆଇସୋଲେସନରେ ଥିବାବେଳେ ଲକ୍ଷଣ ଦେଖା ଦେଲେ ଜଣାଇବେ। ହୋମ୍ ଆଇସୋଲେସନରେ ରହୁଥିବା ଲୋକଙ୍କୁ ମାଗଣାରେ କିଟ୍ ଦିଆଯାଉଛି। କିଟରେ ଔଷଧ ସହ ଯାବତୀୟ ସୂଚନା, ପୁସ୍ତିକା ଓ ଫୋନ୍ ନମ୍ବର ଦିଆଯାଇଛି। ଏଥିସହିତ ଆଇସୋଲେସନ ନେଇ ଡିଏମଇଟି ନିର୍ଦ୍ଦେଶକ ଡା.ସିବିକେ ମହାନ୍ତି ମଧ୍ୟ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଲକ୍ଷଣହୀନ ରୋଗୀ ଘରେ ରହିଲେ ଉପଯୁକ୍ତ ସେବା ଯତ୍ନ ପାଇବା ସହ ମାନସିକ ଭାବେ ସୁସ୍ଥ ରହିବେ। ହୋମ୍ ଆଇସୋଲେସନରେ ରହୁଥିବା ଲୋକେ ପ୍ରଚୁର ପାଣି ପିଇବା ଉଚିତ। ସର୍ଭେଲାନ୍ସ ଟିମ୍ ଜରିଆରେ ହୋମ୍ ଆଇସୋଲେସନରେ ଥିବା ରୋଗୀଙ୍କୁ ବାରମ୍ବାର ନିରୀକ୍ଷଣ କରାଯାଉଛି। ଯଦି କାହାଠାରେ ଲକ୍ଷଣ ଦେଖାଯାଏ ତେବେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯିବାର ବ୍ୟବସ୍ଥା କରାଯାଇଛି। ସଚେତନ ରହିଲେ ନିଶ୍ଚିତରୂପେ ଆମେ ଜିତିବା କରୋନା ହାରିବ ବୋଲି ଡା.ମହାନ୍ତି କହିଛନ୍ତି।
ସୂଚନାଯୋଗ୍ୟ, ହ୍ୱାଟ୍ସଆପ୍ ଜରିଆରେ ଲୋକଙ୍କୁ କରୋନା ସମ୍ବନ୍ଧୀୟ ସମସ୍ତ ସୂଚନା ମିଳିପାରିବ। ଏଥିପାଇଁ ୯୯୩୭୫୬୪୦୬୬ ନମ୍ବର ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଛି। ଉକ୍ତ ନମ୍ବରରେ ଦୈନିକ ୩ଟାରୁ ସାଢ଼େ ୩ଟା ମଧ୍ୟରେ ଲୋକେ ପ୍ରଶ୍ନ ପଚାରି ପାରିବେ। ହ୍ୱାଟ୍ସଆପରେ ପ୍ରଶ୍ନ କଲେ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ପରାମର୍ଶ ମିଳିବ।