ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ବ୍ଲକ ବାଲିପଟା ଗାଁର କଣ୍ଠଦେଇ ବିଶି ନାମକ ଜଣେ ୭୦ ବର୍ଷ ବୃଦ୍ଧା ପରିତ୍ୟକ୍ତ ଘରେ ରହୁଥିବା ଘଟଣା ଗତ ୮ ତାରିଖରେ ନୀତିଦିନରେ ପ୍ରକାଶ ପାଇଥିଲା । ପରେ ବ୍ଲକ ପ୍ରଶାସନର ତତ୍ପରତା ଯୋଗୁ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀଙ୍କ ନିର୍ଦ୍ଦେଶରେ ବୃଦ୍ଧାକୁ ପାଟଣାଗଡ଼ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ । କଣ୍ଠଦେଇଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ବଲାଙ୍ଗିର ଦେଓଗାଁସ୍ଥିତ ଜରା ନିବାସକୁ ସ୍ଥାନାନ୍ତର କରାଯାଇଛି । ତେବେ ସେଠାରେ ରହିବା ଲାଗି ସମ୍ପୂର୍ଣ୍ଣ ଅନିଚ୍ଛା ପ୍ରକାଶ କରିବା ସହ ପୁଣି ସେ ନିଜ ଝିଅ ଜ୍ୱାଇଁ ରହୁଥିବା ସୋଲବନ୍ଧସ୍ଥିତ ଘରକୁ ଫେରି ଆସିଥିଲେ । ଖବର ପାଇ ପାଟଣାଗଡ଼ ବିଧାୟକ ସରୋଜ ମେହେର ଆଜି ସୋଲବନ୍ଦ ଗାଁରେ ପହଞ୍ଚିଥିଲେ । କଣ୍ଠଦେଇଙ୍କ ପାଇଁ ଏକ ରହିବା ଘର ନିର୍ମାଣ ପାଇଁ ବିଧାୟକ ତାଙ୍କ ନିଜ ଦରମାରୁ ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବାର ପ୍ରତିଶ୍ରୁତି ଦେବା ସହ ଅଗ୍ରୀମ ୫୦ ହଜାର ଟଙ୍କା କଣ୍ଠଦେଇଙ୍କୁ ପ୍ରଦାନ କରିଥିଲେ । ଏଭଳି ଘଟଣା ମୋ ଦୃଷ୍ଟି ଆକର୍ଷଣ କଲେ ଗରିବ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିବି ବୋଲି ଉପସ୍ଥିତ ସାମ୍ବାଦିକଙ୍କୁ ବିଧାୟକ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷ ନୀଳକଣ୍ଠ ବାଗ, ଉପାଧ୍ୟକ୍ଷ ଲଷ୍ମୀ ମାଝୀ, ଜିଲ୍ଲା ପରିଷଦ ସଭ୍ୟ କସ୍ତୁରୀ ସେଠ, ସୋଲବନ୍ଦ ସରପଞ୍ଚ ରିତା ପାଣ୍ଡେ, ବାଲିପଟା ସରପଞ୍ଚ ପ୍ରଶାନ୍ତ ପୁରୋହିତ, ବାଲିପଟା ସମିତି ସଭ୍ୟ ଶଙ୍କର ବାଗ ଓ ପ୍ରଦୀପ କୁମାର ମେହେର ସମେତ ବହୁ ସଂଖ୍ୟକ ବିଜେଡି କର୍ମୀ ଉପସ୍ଥିତ ଥିଲେ ।