ଉପନଗରପାଳ ଓ କାଉନସିଲରଙ୍କ ଗିରଫଦାରୀ ପରେ ପୌର କାର୍ଯ୍ୟାଳୟ ସମ୍ମୁଖରେ ବିଧାୟକଙ୍କ ଧାରଣା

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ପୌର ନିର୍ବାହୀ ଅଧିକାରୀ ତପନ କୁମାର ମହାପାତ୍ରଙ୍କୁ ମାଡ଼ ଘଟଣାରେ ଗତକାଲି ଉପନଗରପାଳ ବିଜେପିର ପ୍ରଜିତ କୁମାର ଭୋଜ, ସ୍ୱାଧୀନ କାଉନସିଲର ଓ ସଫେଇ କର୍ମଚାରୀ ସଂଘ ସଭାପତି ଧର୍ମେନ୍ଦ୍ର କୁମାର ଦେବତାଙ୍କୁ ଦେବଗଡ଼ ଥାନା ପୁଲିସ ଗିରଫ ପରେ କୋର୍ଟ ଚାଲାଣ କରିଛି । ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ନେଇ ସୂଚନା ମିଳିଛି । ଏହି ଘଟଣାକୁ କେନ୍ଦ୍ର କରି ଆଜି ସକାଳୁ ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିବାରୁ ସହରର ସଫେଇ କାର୍ଯ୍ୟ ବନ୍ଦ ରହିଥିଲା । ସେହିପରି ପୂର୍ବାହ୍ନରେ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ପୌର କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ବସି ବିକ୍ଷୋଭ ପ୍ରଦର୍ଶନ କରିବା ସହ ପୌର ନିର୍ବାହୀ ଅଧିକାରୀ ତପନ କୁମାର ମହାପାତ୍ର ଓ ସିଏମଏମ ଅଭିଷେକ ମିଶ୍ରଙ୍କୁ ଗିରଫ ଦାବି କରିଛନ୍ତି । ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଫଳରେ ସହରରେ ପରିମଳ ବ୍ୟବସ୍ଥା ପ୍ରଭାବିତ ହୋଇଥିବାବେଳେ ଖବର ଲେଖାଯିବା ପର୍ଯ୍ୟନ୍ତ ପୌର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବିକ୍ଷୋଭ ଜାରି ରହିଛି ।