ପାଟଣାଗଡରେ ନୂତନ ଡାକ୍ତରଖାନା ସ୍ଥାନର ଭୂମିପୂଜନ କଲେ ବିଧାୟକ

ପାଟଣାଗଡ,ଏନ୍ଏନ୍ଏସ୍: ପାଟଣାଗଡରେ ଏକ ନୂତନ ଡାକ୍ତରଖାନାର ଭବନକୁ ରାମପାଲି ଠାରେ ଆଜି ବିଧାୟକ ସରୋଜ କୁମାର ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭୂମିପୂଜନ କରିଛନ୍ତି। ସେ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ ଏହି ଡାକ୍ତରଖାନାଟି ତୃତୀୟ ମହଲା ବିଶିଷ୍ଟ ହେବ। ଏଥିରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଜନସାଧାରଣ ପାଇପାରିବା ସହ ଗର୍ଭବତୀ ମହିଳା ଓ ବିଶେଷ କରି ଶିଶୁ ମାନଙ୍କୁ ଅଧିକ ସୁବିଧା ଯୋଗଇ ଦିଆଯିବ ବୋଲି ବିଧାୟକ କହିଛନ୍ତି।

ଏହି ନୂତନ ଡାକ୍ତରଖାନାର ବ୍ୟୟ ଅଟକଳ ୨୨ କୋଟି ୨୯ ଲକ୍ଷ ୬୧ ହଜାର ଟଙ୍କାର ହୋଇଥିବା ବେଳେ ୨ ବର୍ଷ ମଧ୍ୟରେ ଶେଷ ହେବ ବୋଲି ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଅର୍ଜ୍ଜୁନ ବେହେରା କହିଛନ୍ତି। କାର୍ଯ୍ୟକ୍ରମରେ ପାଟଣାଗଡ ପୁଲିସ ମଣ୍ଡଳ ଅଧିକାରୀ ଜ୍ୟୋତିମୟ ଭୁକ୍ତା, ଥାନା ଅଧିକାରୀ ଅନନ୍ତ ପ୍ରଧାନ, ଏନଏସି ନିର୍ବାହୀ ଅଧିକାରୀ ସୁକାନ୍ତ ବେଉତା, ପୂର୍ତ୍ତ ବିଭାଗର ଏସଡିଓ ଅରୁଣ ପ୍ରକାଶ ଟେଟେଙ୍କ ସହ ଏହାକୁ ନିର୍ମାଣ କରୁଥିବା ସଂସ୍ଥାର ଶମ୍ଭୁ ପ୍ରସାଦ ଗୋଏଲ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଇନ୍ଦୁଭୂଷଣ ଠାକୁର ପରିଚାଳନା କରିଥିବା ବେଲେ ପାଟଣାଗଡ ଭାରପ୍ରାପ୍ତ ଏସଡିଏମଓ ପୀତବାସ ସା ଧନ୍ୟବାଦ ଦେଇଥିଲେ।