ଜଗତସିଂହପୁର ଜିଲ୍ଲାରେ ୨୯ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ୨୯ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଅପରାହ୍ଣ ୫ଟାରେ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସବୁ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ। ଏହି ୨୯ଟି ପ୍ରକଳ୍ପ ନିମନ୍ତେ ୨୧୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

ଏହି ପ୍ରକଳ୍ପ ଗୁଡିକ ମଧ୍ୟରୁ ତଳ କୁସୁମା ଲଂକାପଡା ମଧ୍ୟରେ ପାଇକା ନଦୀ ଉପରେ ଉଚ୍ଚ ସେତୁ, ପାରାଦୀପରେ ସ୍ୱତନ୍ତ୍ର ସର୍କିଟ୍ ହାଉସ୍, ଜଗତସିଂହପୁର ଠାରେ ନୂତନ ପର୍ଯ୍ୟଟନ କାର୍ଯ୍ୟାଳୟ, ପାରାଦ୍ୱୀପ ଠାରେ ଶିଳ୍ପ ତାଲିମ କେନ୍ଦ୍ର, ରଘୁନାଥପୁର ଓ ଏରସମା ଠାରେ ଆଦର୍ଶ ବିଦ୍ୟାଳୟ ଆଦି ସହିତ ୨୯ଟି ପ୍ରକଳ୍ପ ଅନ୍ତର୍ଭୁକ୍ତ ରହିଛି। ଏଥି ନିମନ୍ତେ ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ବାଲିକୁଦା, ଏରସମା, ରଘୁନାଥପୁର, ତିର୍ତ୍ତୋଲ ଓ ପାରାଦ୍ୱୀପ ସମେତ ବିଭିନ୍ନ ସ୍ଥାନରେ ସାଧାରଣ ଜନତାଙ୍କ ନିମନ୍ତେ ଏଲଇଡି ଲଗାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବିଧାୟକ, ସାଂସଦ ଓ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିବେ। କୋଭିଡ୍ କଟକଣା ମଧ୍ୟରେ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।