କ୍ରିକେଟ ପଡ଼ିଆରେ ମିତାଲୀଙ୍କ ରାଜ

ଦକ୍ଷିଣ ଆଫ୍ରିକା ବିରୋଧରେ ଲଖନେଔରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ଭାରତୀୟ ମହିଳା କ୍ରିକେଟ ଟିମର ଅଧିନାୟିକା ମିତାଲୀ ରାଜ ଇତିହାସ ରଚିଛନ୍ତି। ମିତାଲୀ ଆନ୍ତର୍ଜାତୀୟ କ୍ରିକେଟରେ ୧୦ ହଜାର ରନ୍ ପୁରା କରିଥିବା ବିଶ୍ୱର ଦ୍ୱିତୀୟ ଓ ଭାରତର ପ୍ରଥମ ମହିଳା କ୍ରିକେଟର ହେବାର ଗୌରବ ଅର୍ଜନ କରିଛନ୍ତି।

ଲଖନେଔର ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚରେ ମିତାଲୀ ୫୦ ବଲରେ ୩୬ ରନ୍ କରିଛନ୍ତି। ଏହି ସମୟରେ ସେ ୫ଟି ଚୌକ ମାରିଥିଲେ। ତାଙ୍କୁ ଏନ ବୋଷ କ୍ୟାଚ୍ ଆଉଟ କରିଛନ୍ତି। ଆଉଟ ହେବା ପୂର୍ବରୁ ସେ ଏହି ଇତିହାସ ନିଜ ନାଁରେ ରଚି ନେଇଥିଲେ।

୩୮ ବର୍ଷୀୟା ମିତାଲୀ ଦିନିକିଆ କ୍ରିକେଟରେ ଏବେ ପର୍ଯ୍ୟନ୍ତ ୫୦.୫୩ ହାରରେ ୬,୯୭୪ ରନ୍ ହାସଲ କରିଛନ୍ତି। ମିତାଲୀ ତାଙ୍କ କ୍ୟାରିୟରରେ ଏବେ ପର୍ଯ୍ୟନ୍ତ ୮ଟି ଶତକ ଓ ୭୫ଟି ଅର୍ଦ୍ଧଶତକ ମାରିଛନ୍ତି।