ମାହାଙ୍ଗାରେ ମିଶନ ଶକ୍ତିର ସମୀକ୍ଷା ବୈଠକ: ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଆଇନ ମନ୍ତ୍ରୀଙ୍କ ଆହ୍ୱାନ

ମାହାଙ୍ଗା,ଏନ୍ଏନ୍ଏସ୍: ମାହାଙ୍ଗା ବ୍ଲକର ୧୦୧ଟି ମହିଳା ସ୍ୱୟଂସହାୟକ ଗୋଷ୍ଠୀକୁ ଏକତ୍ରିତ କରାଯାଇ ସେମାନଙ୍କ କାର୍ଯ୍ୟ ଦକ୍ଷତାକୁ ସମୀକ୍ଷା କରାଯାଇଛି। ଏହି ସମୀକ୍ଷା କାର୍ଯ୍ୟକ୍ରମରେ ସିଡିପିଓ ପ୍ରମୋଦିନୀ ଦାଶଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଆଇନ, ପଞ୍ଚାୟତରାଜ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ଗ୍ରାମୀଣ ମହିଳାମାନଙ୍କ କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିଛନ୍ତି। ଏଥି ସହିତ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି ବୋଲି ମତ ଦେଇଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶରତ ନାୟକ, ଜିଲ୍ଲାପରିଷଦ ସଭ୍ୟ ହୃଷୀକେଶ ସ୍ୱାଇଁ, ବିଡିଓ ନିହାର ରଞ୍ଜନ ମଲ୍ଲିକ, ବ୍ଲକ୍ ମହିଳା ଫେଡରେସନ ସଭାନେତ୍ରୀ ସୁସ୍ମିତା ଦାସ, ପଞ୍ଚାୟତ ଫେଡରେସନ ସଭାନେତ୍ରୀ ପ୍ରତିମା ମହାନ୍ତି ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ସମାଜସେବୀ ରଜନୀ ପରିଡା, ନିରଞ୍ଜନ ମହାନ୍ତି, ତାରାକାନ୍ତ ମହାପାତ୍ର, ଅମର ମୁଖାର୍ଜୀ, ସୁରେଶ ଜେନା, ଯୋଗେଶ ମହାନ୍ତି, ଜଗନ୍ନାଥ ମହାନ୍ତି, ତପନ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ। ପ୍ରାୟ ଏକ ହଜାରରୁ ଊର୍ଦ୍ଧ୍ୱ ମହିଳା ସଦସ୍ୟା ଏହି ବୈଠକରେ ଯୋଗଦାନ ଦେଇଥିଲେ।