ପୌର ନିର୍ବାଚନ ପାଇଁ ଚଳଚଞ୍ଚଳ ରାଜନୀତି: ୱାର୍ଡ ପୁନର୍ଗଠନ ପାଇଁ ଦାବି କଲେ ବିଧାୟକ

ଦେବଗଡ଼,ଏନ୍ଏନ୍ଏସ୍: ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନ ପରେ ପରେ ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଦେବଗଡ଼ ଜିଲ୍ଲାର ଏକ ମାତ୍ର ଶତାୟୁ ପୌରପରିଷଦ ଅନ୍ତର୍ଗତ ପୌରାଞ୍ଚଳରେ ରାଜନୈତିକ ଗତିବିଧି ଚଳଚଞ୍ଚଳ ହୋଇଉଠିଛି। ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାପାଳ ମାନଙ୍କୁ ପୌରାଞ୍ଚଳ ଓ ବିଜ୍ଞାପିତ ପରିଷଦ ଅଞ୍ଚଳର ୱାର୍ଡ ପୁନର୍ଗଠନ ଓ ଆସନ ସଂରକ୍ଷଣ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଆସନ୍ତା ନଭେମ୍ବର ୯ ତାରିଖ ସୁଦ୍ଧା ଏସବୁ କାର୍ଯ୍ୟକୁ ଶେଷ କରିବା ପାଇଁ ଧାର୍ଯ୍ୟ କରାଯାଇଥିବା ବେଳେ ନଭେମ୍ବର ୧୮ ତାରିଖକୁ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟକୁ ଆପତ୍ତି ଓ ମତାମତ ଦେବାର ଦିନ ଧାର୍ଯ୍ୟ କରାଯାଇଛି।

ସେହିପରି ନଭେମ୍ବର ୨୯ ତାରିଖ ଦିନ ୱାର୍ଡ ପୁନଃଗଠନ ଓ ଆସନ ସଂରକ୍ଷଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବା ବେଳେ ନଭେମ୍ବର ୨୯ରୁ ଡିସେମ୍ବର ୧୩ ମଧ୍ୟରେ ୱାର୍ଡ ପୁନଃଗଠନ ଓ ଆସନ ସଂରକ୍ଷଣ ର ପ୍ରକାଶିତ ବିଜ୍ଞପ୍ତିର ଆପତ୍ତି ପାଇଁ ଅପିଲ କରିବାର ଦିନ ଧାର୍ଯ୍ୟ କରାଯାଇଛି। ଦେବଗଡ଼ ପୌରନିର୍ବାଚନ ପାଇଁ ପ୍ରଶାସନିକ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ୧୧ ୱାର୍ଡ ବିଶିଷ୍ଟ ଦେବଗଡ଼ ପୌର ପରିଷଦର ୱାର୍ଡ ସଂଖ୍ୟା ୧୧ରୁ ୧୮କୁ ବୃଦ୍ଧି ପାଇଁ ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଦେବଗଡ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ନିକଟକୁ ପତ୍ର ଲେଖି ଦାବି କରିଛନ୍ତି।

ବିଧାୟକଙ୍କ ଦାବି ଅନୁଯାୟୀ ୧୯୦୪ ମସିହାରୁ ସ୍ଥାପିତ ଦେବଗଡ଼ ପୌରପରିଷଦର ୧୧୭ ବର୍ଷ ପରେ ମଧ୍ୟ ୱାର୍ଡ ସଂଖ୍ୟାରେ କୌଣସି ପରିବର୍ତ୍ତନ ହୋଇନାହିଁ। ବର୍ଦ୍ଧିତ ଜନସଂଖ୍ୟା ଓ ପୌରାଞ୍ଚଳର ବିକାଶ ପାଇଁ ୱାର୍ଡ ପୁନଃର୍ଗଠନ ଜରୁରୀ ହୋଇପଡିଥିବା ନେଇ ବିଧାୟକ ଯୁକ୍ତି ରଖିଥିବା ବେଳେ ନୂତନ ଭାବେ ୱାର୍ଡ ପୁନଃର୍ଗଠନ କରି ତିଲେଇବଣୀ ବ୍ଲକ ଟାଇଁସର ପଞ୍ଚାୟତର ବେଲମରା ଓ କୁରଡ ଏବଂ ବଣିଆକିଲିଣ୍ଡା ପଞ୍ଚାୟତ ଅନ୍ତର୍ଗତ ବ୍ରଜମୋହନପୁର ଗ୍ରାମକୁ ଦେବଗଡ଼ ପୌରପରିଷଦରେ ସାମିଲ କରିବାକୁ ଦାବି କରିଛନ୍ତି।

ବିଧାୟକଙ୍କ ଦାବିକୁ ସମର୍ଥନ ଜଣାଇ କୁରଡ ଓ ବେଲମୁରା ଗ୍ରାମବାସୀ ଦେବଗଡ଼ ପୌର ପରିଷଦରେ ସାମିଲ ହେବା ନେଇ ଉତ୍ସାହିତ ଥିବାବେଳେ ବ୍ରଜମୋହନପୁର ଗ୍ରାମର କେତେକ ଗ୍ରାମବାସୀ ଦେବଗଡ଼ ପୌରପରିଷଦରେ ସାମିଲ ନହେବାକୁ ସେମାନଙ୍କ ପ୍ରତିକ୍ରିୟା ରଖିଛନ୍ତି। କୁରଡ ଓ ବେଲମରା ଗ୍ରାମବାସୀ ପୌର ପରିଷଦରେ ସାମିଲ ହେଲେ ସେମାନଙ୍କ ଅଞ୍ଚଳର ବିକାଶ ହୋଇପାରିବା ନେଇ ଆଶ ବ୍ୟକ୍ତ କରିବା ସହ ଏପରି ହେଲେ ଅନେକ ପ୍ରତିଭାଙ୍କୁ ରାଜନୀତିର ପ୍ରଥମ ପାହାଚରେ ପାଦ ଦେବାର ସୁଯୋଗ ମିଳିବ ବୋଲି ପ୍ରକାଶ କରିଛନ୍ତି।