ବ୍ରାହ୍ମଣୀ ଗାଁ’ରେ ମିଶନ ଶକ୍ତି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସମୀକ୍ଷା ବୈଠକ; ଯୋଗ ଦେଲେ ମନ୍ତ୍ରୀ ପ୍ରତାପ ଜେନା

ବ୍ରାହ୍ମଣୀ ଗାଁ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ୧୧ନଂ ଜିଲ୍ଲା ପରିଷଦ ଜୋନ ବ୍ରାହ୍ମଣୀ ଗାଁ ଠାରେ ଅଞ୍ଚଳର ୯ଟି ପଞ୍ଚାୟତକୁ ନେଇ ମିଶନ ଶକ୍ତି ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସାମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସମୀକ୍ଷା ବୈଠକରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ରାଜ ଓ ପାନୀୟ ଜଳ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଘୁ. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, କନ୍ଧମାଳ ସଂସଦ ପ୍ରତିନିଧି ଦେବେନ୍ଦ୍ର ସାମଲ, କନ୍ଧମାଳ ପିଡ଼ିଡ଼ିଆରଡିଏ ବିଶ୍ୱନାଥ ନାଏକ, ବିଡ଼ିଓ କଳାକୃଷ୍ଣ ପ୍ରଧାନ, ସିଡ଼ିପିଓ ଅଞ୍ଜଳି ମହାପାତ୍ର ମଞ୍ଚାସୀନ ଥିଲେ। ଶିକ୍ଷକ ବିଦେଶୀ ନାୟକ ମଞ୍ଚାସୀନ ଅତିଥି ମାନଙ୍କର ପରିଚୟପତ୍ର ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଵଳନ କରାଯାଇଥିଲା। ପରେ ସ୍ୱୟଂ ସହାୟିକା ଗୋଷ୍ଠୀର ଏମବିକେ ସୁବାସିନୀ ନାୟକଙ୍କ ଦଳ ପକ୍ଷରୁ ସ୍ୱାଗତ ସଙ୍ଗୀତ ଏବଂ ଅଞ୍ଚଳର ମହିଳା ସଙ୍ଘ ପକ୍ଷରୁ ପୁଷ୍ପ ମାଲ୍ୟ ଅର୍ପଣ କରି ଅତିଥି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଅଞ୍ଚଳରେ ମିଶନ ଶକ୍ତି ଜରିଆରେ ମହିଳା ସଂଗଠନ ମାନଙ୍କୁ ସଶକ୍ତ କରିବା ଓ ଆତ୍ମ ନିର୍ଭର ଶୀଳ କରିବା କ୍ଷେତ୍ରରେ ପ୍ରଦାନ କରାଯାଇଥିବା ସରକାରୀ ସହାୟତାର ଆକଳନ ଓ କାର୍ଯ୍ୟକାରିତାର ସମ୍ପୂର୍ଣ୍ଣ ବିବରଣୀ ଦାରିଙ୍ଗବାଡି ସିଡିପିଓ ଶ୍ରୀମତୀ ମହାପାତ୍ର ଓ ପିଡ଼ିଡ଼ିଆରଡିଏ ଶ୍ରୀ ନାଏକ ସମସ୍ତଙ୍କ ସମ୍ମୁଖରେ ପଠନ କରିଥିଲେ। ସ୍ଥାନୀୟ ବିଧାୟକ ଶ୍ରୀ ପ୍ରଧାନ ଅଞ୍ଚଳରେ ଲାଗିରହିଥିବା ସମସ୍ୟା ବିଶେଷ କରି ପାନୀୟଜଳ ଓ ନେଟୱର୍କ ସମସ୍ୟାର ସମାଧାନ ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ। ଏନେଇ ମାନ୍ୟବର ମନ୍ତ୍ରୀ ଶ୍ରୀ ଜେନା ଏକ ବର୍ଷ ମଧ୍ୟରେ ଦାରିଙ୍ଗବାଡି ବ୍ଲକର ପ୍ରତ୍ୟେକ ଘରକୁ ପାନୀୟ ଜଳ ସଂଯୋଗ କରାଯିବ ଏବଂ ଛଅ ମାସ ମଧ୍ୟରେ କନ୍ଧମାଳ ଜିଲ୍ଲାର ସମସ୍ତ ଅଂଚଳରେ ଜିଓ ନେଟୱର୍କ ସ୍ଥାପନ କରିବାକୁ ପ୍ରତିଶୃତି ଦେଇଥିଲେ।

ଦାରିଙ୍ଗବାଡି ୧୦ ନଂ ଜିଲ୍ଲା ପରିଷଦ ଯୋନ ଓ ବ୍ରାହ୍ମଣୀଗାଁ ୧୧ନଂ ଜୋନର ବିଭିନ୍ନ ପଞ୍ଚାୟତର ୩୦ଟି ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ୫୭ ଲକ୍ଷ ୧୦ ହଜାର ଟଙ୍କା ସହାୟତା ରାଶିର ଚେକ ମନ୍ତ୍ରୀ ଶ୍ରୀ ଜେନା ପ୍ରଦାନ କରିଥିଲେ। ବିଭିନ୍ନ ପଞ୍ଚାୟତର ସମସ୍ୟାକୁ ନେଇ ସ୍ଥାନୀୟ ଜନସାଧାରଣ ଲିଖିତ ଅଭିଯୋଗ ପତ୍ରମାନ ମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ଏହି ଦୁର୍ଗମ ଅଞ୍ଚଳକୁ ମନ୍ତ୍ରୀ ମାନେ ଆସିବା ଅତି ବିରଳ। ବ୍ରାହ୍ମଣୀ ଗାଁ ଅଞ୍ଚଳରେ ପ୍ରଥମ ଥର ପାଇଁ ସମୀକ୍ଷା ବୈଠକର ଆୟୋଜ ହେବା ସାଥେ ସାଥେ ମନ୍ତ୍ରୀଙ୍କ ପାଦ ପଡ଼ିଥିବାରୁ ଅଞ୍ଚଳବାସୀ ବେଶ ଖୁସିବ୍ୟକ୍ତ କରିଛନ୍ତି। ମନ୍ତ୍ରୀ ଶ୍ରୀ ଜେନା ବ୍ରାହ୍ମଣୀ ଗାଁ’ରେ ପ୍ରଥମେ ସମୀକ୍ଷା ବୈଠକ କାର୍ଯ୍ୟକ୍ରମରେ ଯୋଗଦେଇ ପରେ ସେ ଦାରିଙ୍ଗବାଡି ବ୍ଲକ ମୁଖ୍ୟ କାର୍ଯ୍ୟାଳୟରେ ମଧ୍ୟ ସମାନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ପରେ ସେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନରେ ଦଳୀୟ କର୍ମୀମାନେ କିପରି ଉତ୍ତମ ପ୍ରଦର୍ଶନ କରିପାରିବେ ସେଥିପାଇଁ ସେ କର୍ମୀ ମାନଙ୍କୁ ମନ୍ତ୍ର ଦେଇଥିଲେ।

ଗଜପତି ଜିଲ୍ଲା ଓବିସି ମୋର୍ଚ୍ଚାର ଦଳୀୟ କର୍ମୀ ମାନେ ଆସି ମନ୍ତ୍ରୀ ଶ୍ରୀ ଜେନାଙ୍କୁ ସାକ୍ଷାତ କରି ଜିଲ୍ଲା ପରିଷଦ ପାଇଁ ସଂରକ୍ଷିତ ଓବିସି ସ୍ଥାନ ଯେପରି ଅତୁଟ ରହିବ ସେଥିପାଇଁ ନିଵେଦନ କରିଥିଲେ। ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଏସଡିପିଓ ମନୋଜ କୁମାର ପୂଜାରୀଙ୍କ ତତ୍ତ୍ୱାବଧାନରେ ହେଡ କ୍ୱାର୍ଟରରୁ ସମୀର କୁମାର ରାଉତ ଓ ବ୍ରାହ୍ମଣୀ ଗାଁ ଥାନା ଅଧିକାରୀ ଦାଶରଥୀ ହେମ୍ବ୍ରମ ଓ ଦାରିଙ୍ଗବାଡି ଆଇଆଇସି କୌଶିକ ମାଝୀ ଙ୍କନେତୃତ୍ୱରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ଏହି ସମୟରେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ବ୍ରାହ୍ମଣୀ ଗାଁ ମଣ୍ଡଳ ସଭାପତି ଦିବ୍ୟସିଂହ ପାତ୍ରଙ୍କ ସମେତ ୧୦ ଜଣ ବିଜେପି କର୍ମୀଙ୍କୁ ୪ ଘଣ୍ଟା କାଳ ଥାନାରେ ଅଟକ ରଖାଯାଇଥିବା ଜଣାପଡିଛି। ଏହାକୁ ନେଇ ବିଜେପି କର୍ମୀ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ବିଜେଡି କର୍ମୀମାନେ ଅଞ୍ଚଳରେ ଏହିପ୍ରକାର ବିଷ ମଞ୍ଜି ବୁଣି ଆଶାନ୍ତିର ବାତାବରଣ ସୃଷ୍ଟି କରୁଛନ୍ତି ବୋଲି ବିଜେପି ଜିଲ୍ଲା ଉପସଭାପତି ଚିତ୍ରସେନ ପାତ୍ର ପ୍ରତିକ୍ରିୟା ରଖିଛନ୍ତି।