ପଲିଥିନ ତଳେ ଅସହାୟ ପରିବାର, ସୁନାଧରଙ୍କ ପାଇଁ ଦିଗହରା ଆବାସ ଯୋଜନା

ଝରିଗାଁ,ଏନ୍ଏନ୍ଏସ୍: ଗରିବ ଲୋକମାନଙ୍କୁ ପକ୍କାଘର ଯୋଗାଇ ଦେବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଗରିବ ଓ ଅସହାୟ ଏଥିରୁ ବଞ୍ଚିତ ଅଛନ୍ତି। ଏହି ଭଳି ଏକ ଘଟଣା ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ଦେଖିବାକୁ ମିଳିଛି। ବ୍ଲକ୍ କାର୍ଯ୍ୟାଳୟ ଠାରୁ ଶହେ ମିଟର ଦୂରରେ ରହୁଥିବା ସୁନାଧର ଗୌଡ଼ ଦୀର୍ଘ ୩୦ ବର୍ଷ ଧରି ଏକ ମାଟି ଘରେ ରହି ଆସୁଥିବା ବେଳେ ୫ ବର୍ଷ ତଳେ ଏହି ଘରର ଛପର ଭାଙ୍ଗିଯିବାରୁ ସେଠାରେ ସେ ପଲିଥିନ ଟାଙ୍ଗି ଜୀବନ ବିତାଉଛନ୍ତି।

ସେହି ଘରେ ସୁନାଧର, ତାଙ୍କ ପତ୍ନୀ ଓ ୨ ପୁଅ ରହୁଛନ୍ତି। ସେଠାରେ ସେ ଦୟନୀୟ ଅବସ୍ଥାରେ ଜୀବନ ବିତାଉଥିବା ବେଳେ ବର୍ଷା ଦିନେ ଏହି ଘରର କାନ୍ଥ ମଧ୍ୟ ଅନେକ ସମୟରେ ଭୁଶୁଡ଼ି ପଡ଼ିବାର ଆଶଙ୍କା ଦେଖାଦେଇଛି। ତେବେ ସରକାରଙ୍କ ତରଫରୁ ତାଙ୍କ ପରିବାରକୁ ରାସନକାର୍ଡ ମଳିଛି। ସେହିପରି ସୁନାଧର ଓ ତାଙ୍କ ପତ୍ନୀ ସଂରକ୍ଷିତ ଜଙ୍ଗଲରେ ଥିବା କିଛି ଜମିରେ ଚାଷ କରି ପରିବାର ଚଳାଉ ଥିଲେ ହେଁ ଏହି ଟଙ୍କା ଯଥେଷ୍ଟ ନୁହେଁ। ତେବେ ଏହି ଟଙ୍କାରେ ଘରର ମରାମତି କରିବା ସମ୍ଭବ ହୋଇନଥିବା ବେଳେ ସରକାରଙ୍କ ନିକଟରେ ସୁନାଧର ଏକ ବିଜୁ ପକ୍କାଘର ଯୋଗାଇ ଦେବାକୁ ଗୁହାରି କରିଛନ୍ତି।