ଟିଟିଲାଗଡ଼,ଏନ୍ଏନ୍ଏସ୍: ଗତକାଲି ସଇଁତଲା ବ୍ଲକ୍ ସମ୍ମୁଖରେ ଥିବା ଚା’ ଖଟିରେ ସଇଁତଲା ବ୍ଲକ ଅଞଚଳର ସାମ୍ବାଦିକ ମାନେ ରହିଥିବା ବେଳେ ଏକ ଠିକା କାମ ମିଶନ ଶକ୍ତି ଗୃହ ନିର୍ମାଣରେ ଅନିୟମିତତା ହୋଇଥିବା ଅଭିଯୋଗ ନେଇ ସମ୍ପୃକ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ସଇଁତଲା କନିଷ୍ଠଯନ୍ତ୍ରୀ ପ୍ରଧାନଙ୍କୁ ଟେଲିଫୋନ ମାଧ୍ୟମରେ କାର୍ଯ୍ୟ ବିଷୟରେ ପଚାରି ବୁଝୁଥିଲେ। ଏହି ସମୟରେ ଜଣେ ଅସାମାଜିକ ବ୍ୟକ୍ତି ନିଜକୁ ସମ୍ପୃକ୍ତ ଠିକାଦାରର ସହଯୋଗୀ ଭାବରେ ପରିଚୟ ଦେଇ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ଧମକ ଚମକ ଦେବା ସହ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ।
ଏମିତି କି ସାଙ୍ଗରେ ଥିବା ଅନ୍ୟ ସାମ୍ବାଦିକ ମାନଙ୍କୁ ମଧ୍ୟ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଜାତିଆଣ ଭାଷା ପ୍ରୟୋଗ କରି ଯାବତୀୟ ଭାଷାରେ ଗାଳି ଦେବା ନେଇ ସଇଁତଲା ବ୍ଲକ୍ ସାମ୍ବାଦିକ ମାନେ ସଇଁତଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଘଟଣାକୁ ପାଖାପାଖି ୨୪ ଘଣ୍ଟା ଅତିକ୍ରମ ହୋଇଥିବା ବେଳେ ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ ନକରିବାରୁ ଆଜି ବଲାଙ୍ଗିର ଜିଲ୍ଲା ଓୟୁଜେ ଶାଖା ତରଫରୁ ଘଟଣାକୁ ତୀବ୍ର ନିନ୍ଦା କରାଯିବା ସହ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଟିଟିଲାଗଡ଼ ଏସ୍ଡିପିଓ ଅଙ୍କିତା କୁମ୍ଭାରଙ୍କ ପାଖରେ ଦାବି କରିଥିଲେ ଜିଲ୍ଲା ଓୟୁଜେ ସଭାପତି ଦୀପକ ସମ୍ମାଦାର, ଟିଟିଲାଗଡ଼ ଉପଖଣ୍ଡ ଉପସଭାପତି ମାନସ ରଞ୍ଜନ ମହାନ୍ତି, ଉପଖଣ୍ଡ ସମ୍ପାଦକ ସଞ୍ଜୟ ବେହେରା ପ୍ରମୁଖ।
ଆଇନ ଅନୁଯାୟୀ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବା ସହ ତଦନ୍ତ ପରେ ଉଚିତ ପଦକ୍ଷେପ ନିଆଯିବ ବୋଳି ଉପସ୍ଥିତ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ ଏସ୍ଡିପିଓ ଅଙ୍କିତା କୁମ୍ଭାର। ପୁଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଜାରି ରଖିଥିବା କହିଛନ୍ତି। ଏହି ଘଟଣାରେ ଅନ୍ୟଜଣେ ତଥାକଥିତ ସାମ୍ବାଦିକ ମାଷ୍ଟର ମାଇଣ୍ଡ ରହିଥିବା ନେଇ ମଧ୍ୟ ସଇଁତଲା ବ୍ଲକ୍ ସାମ୍ବାଦିକ ଅଭିଯୋଗ କରିଥିଲେ। ପୂର୍ବରୁ ସମ୍ପୃକ୍ତ ସାମ୍ବାଦିକ ନାମରେ ବାଇକ ଚୋରି, ରାହାଜାନି ଭଳି ଅନେକ ମାମଲା କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନାରେ, ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା, ସଇଁତଲା ଥାନା, ପାଟଣାଗଡ଼ ଥାନା ଏବଂ ବରଗଡ଼ ଜିଲ୍ଲା ସଦର ମହକୁମା ଥାନାରେ ଏକାଧିକ ମାମଲା ରହିଛି।
ପୁଣି ସମ୍ପୃକ୍ତ ସାମ୍ବାଦିକ ୨ଟି ନାମ ବ୍ୟବହାର କରୁଥିବାରୁ ପୁଲିସ ଏନେଇ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଦୁର୍ବ୍ୟବହାରର ଶିକାର ହୋଇଥିବା ସାମ୍ବାଦିକ ଅଜିତ ସାହୁ, ଅବିନାଶ ନନ୍ଦ ସମେତ ତରୁଣ ବେହେରା, ଦେବେନ୍ଦ୍ର ଯୋଶୀ, ଜୁଲୁ ମହାପାତ୍ର, ରଞ୍ଜନ କୁମାର ବାଗ, ନାରାୟଣ ସାହୁ, ବିଶାଳ ଅଗ୍ରୱାଲ, ବିଭୁ ପ୍ରସାଦ ଶିକା ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ବଲାଙ୍ଗିର ଓୟୁଜେ ଶାଖା ତୀବ୍ର ଆନ୍ଦୋଳନକୁ ଓଲ୍ଲାଇବ ବୋଲି ବଲାଙ୍ଗିର ଶାଖା ସଭାପତି ଦୀପକ ସମ୍ମଦ୍ଦାର ଚେତବନୀ ଦେଇଛନ୍ତି।